ଏସିଆ ମହାଦେଶର ବୃହତ କପଡ଼ା କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ପ୍ରତିଷ୍ଠା ହେବ ଏସିଆ ମହାଦେଶର ବୃହତ୍ କପଡ଼ା କାରଖାନା। ଶନିବାର କଟକ ଚୌଦ୍ୱାର ସ୍ଥିତ ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଚନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଟିଏମର ୪୭୮ ଏକର ଜମିରେ ୩ହଜାର କୋଟି ଟଙ୍କା ବ୍ୟୟରେ ଏକ ନୂଆ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ହେବ। ଏହାଦ୍ୱାରା ୧୦ହଜାର ନିଯୁକ୍ତି ସୃଷ୍ଟି ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୯୫୦ ବେଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଶିଳ୍ପ ବିକାଶ ପାଇଁ ଚୌଦ୍ୱାରଠାରେ ଯେଉଁ ଭିତ୍ତି ସ୍ଥାପନ କରିଥିଲେ, ପୁଣି ତାହାର ପୁନରୁଦ୍ଧାର ହେବାକୁ ଯାଉଛି। ଏହାସହ ଶିଳ୍ପ କ୍ଷେତ୍ରରେ କଟକ ପୁଣିଥରେ ନୂଆ ପରିଚୟ ପାଇବାକୁ ଯାଉଛି ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଆଜି ଚୌଦ୍ବାର ପାଇଁ ବହୁତ ଖୁସିର ଦିନ। ଚୌଦ୍ବାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି। ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ । ଆଜି ପୁଣି ଥରେ ଚୌଦ୍ବାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ୱେଲସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନୀ। ଚୌଦ୍ୱାରରେ ଏହା ଏକ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପ୍ଲେକ୍ସ ନିର୍ମାଣ କରୁଛି। ଏଥିପାଇଁ କମ୍ପାନୀ ୩,୦୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି। ଏହା ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ। ୨୦୨୨ ମେକ-ଇନ୍-ଓଡିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଶିଳ୍ପ ବିଭାଗ ଓ ଇପିକଲ୍ ପକ୍ଷରୁ ଏକ ଟିମ୍ ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ଓଡିଶାର ଶିଳ୍ପନୀତି ଓ ଅନୁକୂଳ ଶିଳ୍ପ ବାତାବରଣକୁ ଉପଲବ୍ଧି କରି ଏହି ଗୃପ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରକାଶ କରିଥିଲେ।
ବିଶ୍ୱ ସ୍ତରୀୟ ‘ୱେଲସ୍ପନ୍ ଟେକ୍ସଟାଇଲ ଗ୍ରୁପର’ ସହଯୋଗରେ ୩ହଜାର ୫୦ କୋଟି ଟଙ୍କା ନିବେଶରେ ଆଜି ଚୌଦ୍ୱାରରେ ଇଣ୍ଟିଭେଟେଡ୍ ଟେକ୍ସଟାଇଲ କମ୍ଲେକ୍ସ ପାଇଁ ଶିଳାନ୍ୟାସ ହୋଇଛି। ଫଳରେ ଏଠାରେ ପାଖାପାଖି ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।ଏହାସହ ରାଜ୍ୟର କପା ଚାଷୀମାନେ ମଧ୍ୟ ବିଶେଷ ଲାଭବାନ ହୋଇପାରିବେ। କେବଳ ଏତିକି ନୁହେଁ ଏଥିରେ ମହିଳାମାନଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି।ସେମାନଙ୍କୁ ସ୍କିଲ ଡେଭଲପମେଣ୍ଟ ଅଧିନରେ ଟ୍ରେନିଂ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଥାଉକି, ରାଜ୍ୟ ସରକାର ଓଟିଏମର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି।ପର୍ଯ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ଦିଆଯିବ ବୋଲି କୁହାଯାଇଛି। ଓଟିଏମ ମିଲ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା। କାଳକ୍ରମେ ଏହା ବନ୍ଦ ହୋଇଯିବାରୁ ଜୀବିକା ହରାଇଥିଲେ ହଜାର ହଜାର ଶ୍ରମିକ। ଦୀର୍ଘ ଦିନର ଦାବି ପରେ ଏଠାରେ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ହେବାକୁ ଯାଉଛି।