‘ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଲୋକାର୍ପଣ କଲେ’

ଓଏଲ୍ ବ୍ୟୁରୋ: ଆଜି ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଆଜି ବରଗଡ଼ ଗସ୍ତରେ ଯାଇ ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହା ସହ ୧୦୦ ଶଯ୍ୟା ବିଶିଷ୍ଠ କ୍ୟାନ୍ସର ହସ୍ପିଟାଲ ବି ଲୋକାର୍ପଣ କରିଛନ୍ତି। ୧୦୬ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ୧୨ ହଜାର ୬୮୨ ବର୍ଗ ମିଟରରେ ଏହି ହସ୍ପିଟାଲ ନିର୍ମାଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରି ଖୁସି ବ୍ୟକ୍ତ କରିଛନ୍ତି।
୨୦୧୯ ମସିହାରେ ସୋହେଲା ଠାରେ ଆୟୋଜିତ ଏକ ସଭାରେ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ଆଜି ବାସ୍ତବରୂପ ନେଉଛି। ୧୦୦ ଶଯ୍ୟା ବିଶିଷ୍ଠ କ୍ୟାନ୍ସର ଚିକିତ୍ସାଳୟରେ ଇନଡୋର ୱାର୍ଡ ପାଇଁ ୪୦ ଶଯ୍ୟା, ଡେ- କେୟାର କେମୋଥେରାପି ପାଇଁ ୨୦ ଶଯ୍ୟା , ଆଇସିୟୁ ପାଇଁ ୬ ଶଯ୍ୟା, ହାଇ ଡିପେନ୍ଡେସି ଇଉନିଟ୍ ପାଇଁ ୬ ଶଯ୍ୟା, ପ୍ରି-ସର୍ଜରୀ ପାଇଁ ୬ ଟି, ପୋଷ୍ଟ୍ ସର୍ଜରୀ ପାଇଁ ୬ଟି ଶଯ୍ୟା।
ସେହିପରି ଆଇସୋଲେସନ୍ ଶଯ୍ୟା ୪ ଟି ଥିବାବେଳେ ୧୨ ଟି କ୍ୟାବିନ୍ ବ୍ୟବସ୍ଥା କରାଯାଇଛି। ରେଡିଏନ୍ସ ଅଙ୍କୋଲୋଜିଷ୍ଟ, ମେଡିକାଲ ଅଙ୍କୋଲୋଜିଷ୍ଟ, ପାଲୋଜିଷ୍ଟ, ସର୍ଜରୀ ସ୍ପେସିଆଲିଷ୍ଟ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, କର୍ଣ୍ଣ-ନାଶା-ଗଳା ବିଶେଷଜ୍ଞ, ଦାନ୍ତ ରୋଗ ବିଶେଷଜ୍ଞ, ମେଡିସିନ ସ୍ପେସିଆଲିଷ୍ଟ, ରେଡିଏଂଶ ଟେକ୍ନୋଲୋଜିଷ୍ଟ , ଫାର୍ମାସିଷ୍ଟ, ଲ୍ଯାବ ଟେକ୍ନିସିଆନ ଓ ନର୍ସିଂ ଅଫିସରର ଆଦି ନିଯୁକ୍ତି ପାଇସାରିଛନ୍ତି।।