ସମ୍ବଲପୁରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍; ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଏବେ ବି ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଜନସମୁଦ୍ର ଦେଖିବାକୁ ମିଳିଛି। ସମସ୍ତ ଭକ୍ତଙ୍କ ପାଇଁ ନୂଆ ରାମ ମନ୍ଦିରର ଦ୍ୱାର ଖୋଲିଛି। ଭକ୍ତମାନେ ପବିତ୍ର ମନ୍ଦିରରେ ବସିଥିବା ପ୍ରତିମା ସହିତ ନୂତନ ପ୍ରତିମା ଦର୍ଶନ କରୁଛନ୍ତି। ତେବେ ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍। ସମ୍ବଲପୁରରୁ ତୀର୍ଥଯାତ୍ରୀଙ୍କୁ ଧରି ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍। କ୍ଷେତରାଜପୁର ଷ୍ଟେସନରୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅନ୍ୟପଟେ, ଶ୍ରୀକ୍ଷେତ୍ରରୁ ରାମ ନଗରୀ ଅଯୋଧ୍ୟାକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍। ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହି ଟ୍ରେନ୍ ଶୁଭାରମ୍ଭ ହେବ। ଏହାଛଡ଼ା ବହୁ ପ୍ରତିକ୍ଷୀତ ପୁରୀ-କୋଣାର୍କ ମଧ୍ୟରେ ଶୀଘ୍ର ଟ୍ରେନ୍ ଚଳାଚଳ କରିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ। ଉତ୍ସବରେ ଅନ୍ୟ ଅତିଥିଭାବେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ଜାତୀୟ ରାଜପଥ ଓ ସଡ଼କ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସମଗ୍ର ଦେଶରେ ୬୬୦୦ କୋଟି ଟଙ୍କା ବ୍ୟୟରେ ୨୮ଟି ଜାତୀୟ ରାଜପଥ ପାଇଁ ଭୂମିପୂଜା ଓ ଲୋକାର୍ପଣ ଉତ୍ସବ ହେଉଛି। ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଓଡ଼ିଶା ପାଇଁ ଖୁସି ଖବର ଦେଇଛନ୍ତି।