ଆଜି ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ଵାଦଶାହ; ଶ୍ରଦ୍ଧାଞ୍ଜଳି ଦେଲେ ୫-ଟି ଅଧ୍ୟକ୍ଷ

ଓଏଲ୍ ବ୍ୟୁରୋ: ପରଲୋକରେ ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓ। ଗତ ୯ ତାରିଖ ବିଳମ୍ବିତ ରାତିରେ ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଥିଲା। ତେବେ ଆଜି ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ଵାଦଶାହ ଅବସରରେ ୫-ଟି ଅଧ୍ୟକ୍ଷ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ସୂଚନା ଅନୁସାରେ, ସୁଜ୍ଞାନ କୁମାରୀ ଦେଓ ୧୦ ଥର ବିଧାୟକ ଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟିକା ଭାବେ ସେ ନିର୍ଵାଚିତ ହୋଇଥିଲେ।
ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସୁଜ୍ଞାନ କୁମାରୀଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ଶୋକ ପ୍ରକାଶ କରିଛନ୍ତି।।ଏହାସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଓଡ଼ିଶାର ଲୋକକ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ରାଜ୍ୟପାଳ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇ ଏକ୍ସରେ ଲେଖିଥିଲେ ଯେ ଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।