ଆଜିଠୁ ସ୍ୱୟଂ ଯୋଜନା ପାଇଁ ଆବେଦନ; ଯୁବଶକ୍ତିଙ୍କୁ ସରକାର ଦେବେ ଏକ ଲକ୍ଷ

ଓଏଲ୍ ବ୍ୟୁରୋ: ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସରକାର କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟ କରିବାକୁ ଇଚ୍ଛକ ଥିବା ଯୁବକ ଏହାଦ୍ୱାରା ବିଶେଷ ଭାବରେ ଲାଭାନ୍ୱିତ ହୋଇ ପାରିବେ। ଯୁବଶକ୍ତିଙ୍କୁ ସ୍ୱତନ୍ତ୍ର ଭାବରେ ଯୁବ ଉଦ୍ୟମୀ ଆକ୍ଷା ଦେବାକୁ ସ୍ୱୟଂ ଯୋଜନା ଆରମ୍ଭ କରିଛନ୍ତି ସରକାର। ଏହି ଯୋଜନା ମାଧ୍ୟମରେ ବ୍ୟବସାୟ କରିବା ତଥା ବ୍ୟବସାୟ ସମ୍ପ୍ରସାରଣ ପାଇଁ ବେକାରୀ ଯୁବଗୋଷ୍ଠୀଙ୍କୁ ସୁଧମୁକ୍ତ ଋଣ ପ୍ରଦାନ କରାଯିବ। ତେବେ ଆଜିଠୁ ସ୍ୱୟଂ ଯୋଜନା ପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି।
ତେବେ ଜାଣନ୍ତୁ ସ୍ୱୟଂ ଯୋଜନାରେ ଆବେଦନ କରିବା ପାଇଁ କଣ ରହିଛି ମାନଦଣ୍ଡ!
ଗ୍ରାମୀଣ ବା ସହରାଞ୍ଚଳରେ ଥିବା ଯୁବଗୋଷ୍ଠୀ ଏହାପୂର୍ବରୁ କୌଣସି ସ୍ଥାନରୁ ଋଣ ନନେଇଥିବା ଆବଶ୍ୟକ। ଋଣ ନେଇ ପରିଶୋଧ କରିଥିବା ଯୁବବର୍ଗ ଏହାର ଫାଇଦା ଉଠାଇ ପାରିବେ। ଏଥିପାଇଁ ଯୁବକ ବା ଯୁବତୀଙ୍କ ବୟସ ସୀମା ମଧ୍ୟ ରହିଛି। ୧୮ରୁ ୩୫ ବର୍ଷ ଯୁବକ ବା ଯୁବତୀ ଏହି ଯୋଜନାରେ ସାମିଲ ହୋଇପାରିବେ। ଯୁବକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।
ଅନୁସୂଚିତ ଜାତି ବା ଅନୁସୂଚିତ ଜନଜାତିର ଯୁବ ବର୍ଗଙ୍କ ପାଇଁ ବୟସସୀମା ଅଲଗା ରହିଛି। ଏହି ବର୍ଗରେ ୪୦ ବର୍ଷର ଯୁବକ ବା ଯୁବତୀ ଏହି ଯୋଜନାର ସାମିଲ ହୋଇପାରିବେ। ଏହି ଯୋଜନାର ଗ୍ରାମୀଣ କ୍ଷେତ୍ରର ଯୁବଗୋଷ୍ଠୀଙ୍କୁ ଫୋକସ୍ରେ ରଖାଯିବ।
ଏହି ଯୋଜନା କାର୍ଯ୍ୟକାରୀ ପାଇଁ ସରକାର ବଜେଟ୍ରେ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ। ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଖାଲି ସେତିକି ନୁହେଁ, ଋଣ ପାଇଁ ଧାରକଙ୍କୁ କୋ-ଲାଟେରାଲ ଏବଂ ପ୍ରକ୍ରିୟାକରଣ ଦେୟ ଦେବାକୁ ପଡ଼ିବ ନାହିଁ। ୪ ବର୍ଷ ଅବଧି ମଧ୍ୟରେ ଏହି ଋଣ ପରିଶୋଧ କରିବାକୁ ହେବ।