Odisha Link
Bridging the Missing Links in Odisha

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି; କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବେ ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୨ ତାରିଖ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଅପରାହ୍ଣ ସାଢ଼େ ୫ଟାରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟର କୁଳାଧିପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଉତ୍ସବ ସ୍ଥଳକୁ ପ୍ରବେଶ ଉପରେ କଟକଣା ଲାଗିବ। ତେବେ ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ପୁଲିସ ରାଜଧାନୀ ଭୁବନେଶ୍ୱର ଜଗିବେ।

ସୂଚନା ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ପାଖାପାଖି ୧୫୦ଜଣଙ୍କୁ ପିଏଚ୍‍ଡି ଡିଗ୍ରି ଓ ୯୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ୪ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଏବେ ୩୦ରୁ ଊର୍ଦ୍ଧ୍ୱ ବିଭାଗରେ ୪୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୯ଟି ଉତ୍କର୍ଷ କେନ୍ଦ୍ର, ସହବନ୍ଧିତ ଆଇନ ମହାବିଦ୍ୟାଳୟ ଓ ଗୋଟିଏ ଦୂର ନିରନ୍ତର ନିର୍ଦ୍ଦେଶାଳୟ ରହିଛି। ସମାବର୍ତ୍ତନ ଉତ୍ସବ ଅବସରରେ ଦେଶରେ ପ୍ରତିଷ୍ଠା ଲାଭ କରିଥିବା ୩ଜଣ ଓଡ଼ିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ। ନାମ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ କୁଳାଧିପତି ଏପର୍ଯ୍ୟନ୍ତ ମୋହର ଲାଗି ନ ଥିବା ସୂଚନା ମିଳିଛି।

Leave A Reply

Your email address will not be published.