ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶରେ ଲାଗୁ ହେବ ସିଏଏ!
![](https://www.odishalink.com/wp-content/uploads/2024/02/CAA-750x430.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନର ମାହୋଲ। ଲୋକସଭା ନିର୍ବାଚନକୁ ଏକ ମାସ ସମୟ ଥିବା ବେଳେ ପଲ୍ଲୀରୁ ଦିଲ୍ଲୀ ରାଜନୀତି ଏବେ ସରଗରମ। ଏସବୁ ମଧ୍ୟରେ ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଲାଗୁ କରିବାକୁ କେନ୍ଦ୍ର ସରକାର ଆଗଭର ହୋଇଛନ୍ତି।
ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ସିଏଏ ଦେଶରେ ଲାଗୁ ହେବ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଏଥିରେ ଥିବା ନିୟମ ଓ ବ୍ୟବସ୍ଥା ସମ୍ପର୍କରେ ଏଯାଏ କିଛି ବି ଜଣାପଡ଼ି ନାହିଁ। ରିପୋର୍ଟରେ କେବଳ କୁହାଯାଇଛି ଯେ ଆସନ୍ତା ମାସ ପ୍ରଥମ ସପ୍ତାହରୁ ସିଏଏ ଲାଗୁ ହୋଇପାରେ। ପ୍ରଥମ ଦଫାରେ ୩ଟି ଦେଶରେ ଧାର୍ମିକ ନିର୍ଯାତନା ସହି ନ ପାରି ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ।
କ’ଣ ଏହି ସିଏଏ?
ସିଏଏ ଆଇନ୍ ଅନୁସାରେ, ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଦେଶକୁ ଆସିଥିବା ୬ ଜଣ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଓ ପାର୍ସୀ)ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏଥିପାଇଁ ଏହି ୩ ଦେଶର ବିସ୍ଥାପିତ ଲୋକଙ୍କୁ କୌଣସି ଦସ୍ତାବିଜ୍ ଦେବାକୁ ପଡ଼ିବ ନାହିଁ।
ଡିସେମ୍ବର ୨୦୧୯ରେ ସଂସଦରେ ଏହି ବିଲକୁ ଅନୁମୋଦନ ମିଳିଥିଲା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶର କେତେକ ସ୍ଥାନରେ ବ୍ୟାପକ ବିରୋଧ ହୋଇଥିଲା। ସିଏଏକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନେକ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରିଥିଲେ। ସେତେବେଳେ କେନ୍ଦ୍ର ସରକାର ଏହାକୁ କାର୍ୟ୍ୟକାରୀ କରିବାକୁ ମନ ସ୍ଥିର କରିଥିଲେ ମଧ୍ୟ କରୋନା କାରଣରୁ ଏହା ବିଳମ୍ବିତ ହୋଇଥିଲା।