“ଦ ଟଲ୍ ମ୍ୟାନ୍”ର ଓଡ଼ିଆ ଅନୁବାଦ ଉନ୍ମୋଚିତ

ଓଏଲ୍ ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୁସାହସିକ ଜୀବନ କାହାଣୀକୁ ନେଇ ରଚିତ ପୁସ୍ତକ ଦ ଟଲ୍ ମ୍ୟାନ୍ର ଓଡ଼ିଆ ଅନୁବାଦ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରସ୍ତୁତ ଏହି ପୁସ୍ତକକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ। ଏ ପୁସ୍ତକ ମାଧ୍ୟମରେ ନୂଆ ପିଢ଼ି ବିଜୁବାବୁଙ୍କ ପ୍ରେରଣାଦାୟୀ ଜୀବନଶୈଳୀ ଓ ସାହସିକ ପଦକ୍ଷେପ ବାବଦରେ ଅଧିକ ଜାଣିବେ ବୋଲି ସେ କହିଥିଲେ।
୨୦୧୮ରେ ପ୍ରକାଶିତ ମୂଳ ଇଂରାଜୀ ପୁସ୍ତକକୁ ସୁନ୍ଦର ଗଣେଶନ ରଚନା କରିଥିବା ବେଳେ ଏହାର ଓଡ଼ିଆ ଅନୁବାଦ କରିଛନ୍ତି ବିଶିଷ୍ଟ ଲେଖକ ସଂଗ୍ରାମ ମହାପାତ୍ର। ନବୀନ ନିବାସରେ ଆଜି ଅପରାହ୍ଣରେ ପୁସ୍ତକ ଉନ୍ମୋଚନ ଅବସରରେ ଅନୁବାଦକ ଶ୍ରୀ ମହାପାତ୍ର ଓ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ।
ପେନ୍ ଇନ୍ ବୁକ୍ସ ପକ୍ଷରୁ ଓଡ଼ିଆ ଅନୁବାଦ ସହ ମୂଳ ଇଂରାଜୀ ପୁସ୍ତକର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି। ଉଭୟ ପୁସ୍ତକ ଆମାଜନ୍ରେ ଉପଲବ୍ଧ ବୋଲି ସେ ସୂଚନା ଦେଇଛନ୍ତି।