ବିଜେଡି ଛାଡ଼ି ବିଜେପିରେ ଅରନ୍ଦିମ ରାୟ, କହିଲେ-ନରେନ୍ଦ୍ର ମୋଦି…

ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳ ଛାଡ଼ିବାର ଘଣ୍ଟାଏ ନପୂରୁଣୁ ବିଜେପିରେ ସାମିଲ ହେଲେ ଅରନ୍ଦିମ ରାୟ। ଅରିନ୍ଦମ ଆଜି ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭୁବନେଶ୍ୱର ସ୍ଥିତି ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ମନମୋହନ ସାମଲ ଆନୁଷ୍ଠାନିକ ଭାବେ ଶ୍ରୀ ରାୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଶ୍ରୀ ରାୟଙ୍କ ସହ ତାଙ୍କ ସମର୍ଥକମାନେ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଦଳ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ କଟକ ବିଜେପିର ବହୁ ନେତା ଉପସ୍ଥିତ ରହିଥିଲେ।
ବିଜେପିରେ ମିଶିବା ପରେ ଅରିନ୍ଦମ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହୋଇଛି। ବିକଶିତ ଭାରତର ସାରଥି ହୋଇ କାମ କରିବା ପାଇଁ ବିଜେପିରେ ସାମିଲ ହୋଇଛି। ସେହିପରି ବିଜେଡି ଛାଡ଼ିବା ପ୍ରସଙ୍ଗରେ ମୁହଁ ଖୋଲି କହିଛନ୍ତି, ବିଜେଡିରେ ଆଉ କାମ କରିବାର ସୁଯୋଗ ନାହିଁ। ସେଠି କାମ କରିବାର ଶୈଳୀ ବଦଳି ଗଲାଣି। ଖାପଖୁଆଇ ପାରିଲିନି ଦଳ ଛାଡ଼ିଲି।
ସେ ଆହୁରି କହିଛନ୍ତି, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଅନେକ ଚେଷ୍ଟା କରିଛି। ହେଲେ ନେତାଙ୍କୁ ଭେଟିପାରିଲନି। ଆଉ ସେଠି ରହିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ସୂଚନାଥାଉକି, ଆଜି ଅପରାହ୍ନରେ ଅରିନ୍ଦମ ରାୟ ବିଜେଡିର ପଦ ଓ ପ୍ରାଥମିକତା ସଦସ୍ୟରୁ ଇସ୍ତଫା ଦେଇଥିଲେ।