ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ; ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ। ଗତକାଲି ବିଳମ୍ବିତ ରାତିରେ କାର ଦୁର୍ଘଟଣାର ଶିକାର ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥରରେ ତାଙ୍କ ଗାଡ଼ିକୁ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିବାରୁ ଦୁର୍ଘଟଣା ହୋଇଛି। ଏହା ପରେ ଚିନ୍ତା ପ୍ରକଟ ସହ ପ୍ରସନ୍ନଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ନିଜର ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି।
ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି।
— Naveen Patnaik (@Naveen_Odisha) March 15, 2024
ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କ ମୁଣ୍ଡରେ ୩୦ଟି ଷ୍ଟିଚ୍ ପଡିଥିବା ବେଳେ ନାକ ଓ ଆଖିରେ ମଧ୍ୟ ଆଘାତ ଲାଗିଛି। ଏବେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଗତକାଲି ନବୀନ ନିବାସ ବୈଠକରେ ଯୋଗ ଦେଇ ଫେରିବା ପରେ ନିଜ କାର ଯୋଗେ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ବରଗଡ଼ ସ୍ଥିତ ନିଜ ଘରକୁ ଫେରୁଥିଲେ। ବିଳମ୍ୱିତ ରାତିରେ ସମ୍ୱଲପୁର ରେଢ଼ାଖୋଲ ବେଲଡିହି ନିକଟରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ତାଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା।