ମେଣ୍ଟ ସମ୍ପର୍କରେ ଅମିତ ଶାହଙ୍କ ବଡ଼ ବୟାନ

ଓଏଲ୍ ବ୍ୟୁରୋ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ନିର୍ବାଚନ କମିଶନର ଘୋଷଣା କରିବା ନିର୍ବାଚନ ତାରିଖ। ହେଲେ ଏବେ ସୁଦ୍ଧା ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନାହିଁ। ଏହାରିମଧ୍ୟରେ ବିଜେପିର ଚାଣକ୍ୟ ଭାବେ ପରିଚିତ ତଥା ଗୃହମନ୍ତ୍ରୀ ଅମିତ ଶାହ ମେଣ୍ଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।
ଶୁକ୍ରବାର ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇଥିଲେ ଅମିତ ଶାହ। ସାମ୍ବାଦିକ ରାହୁଲ କନୱଲଙ୍କ ବିଜେଡି ସହ ମେଂଟ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଶାହ କହିଛନ୍ତି ଯେ, ଓଡ଼ିଶାରେ ବିଜେପିର କ’ଣ ରଣନୀତି ରହିବ ତାହା ଏପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଧାରଣ କରିନାହାନ୍ତି। ମାତ୍ର ଏତିକି କହିପାରିବି, ଦଳ ଯାହାବି ରଣନୀତି କରିବ ସେଥିରେ ଓଡ଼ିଶାରେ ବିଜେପି ଉଭୟ ଲୋକସଭା ଓ ବିଧାନସଭାରେ ବହୁତ ଭଲ ପ୍ରଦର୍ଶନ କରିବ। ଆଉ ଆମର ସ୍ଥିତିରେ ବହୁତ ଭଲ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ଶାହ କହିଛନ୍ତି।
ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଅମିତ ଶାହାଙ୍କ ଏମିତି ବୟାନ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି।ଏବେ ବି ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି ରାଜ୍ୟବାସୀ।