ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ପୁଟିନ; ନାଟୋକୁ ଦେଲେ ଚେତାବନୀ

ଓଏଲ୍ ବ୍ୟୁରୋ: ପଞ୍ଚମ ଥର ଭାବେ ଋଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭ୍ଲାଦମିର ପୁଟିନ୍। ୮୮ ପ୍ରତିଶତ ଭୋଟ ସହ ପଂଚମ ଥର ପାଇଁ ସରକାର ଗଢିଛନ୍ତି ପୁଟିନ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଋଷ ଆହୁରୀ ଶକ୍ତିଶାଳୀ ହେବ ବୋଲି ପୁଟିନ କହିଛନ୍ତି। ଏହା ସହ ନାଟୋକୁ ଚେତାବନୀ ଦେଇଛନ୍ତି। ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ନିକୋଲାଇ ଖାରର୍ଟିନୋଭ ମାତ୍ର ୪ ପ୍ରତିଶତ ଭୋଟ ପାଇଛନ୍ତି। ସବୁଠୁ ବଡ଼ କଥା ହେଉଛି ପୁଟିନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ତିନି ନେତା ୟ୍ରୁକ୍ରେନ ଉପରେ ଋଷର ଆକ୍ରମଣକୁ ସମର୍ଥନ କରିଛନ୍ତି।
ପୁଟିନ କହିଛନ୍ତି ଯେ, ଋଷ ଏବଂ ଆମେରିକାର ନେତୃତ୍ୱାଧୀନ ନାଟୋ ସାମରିକ ମିଳିତ ମଞ୍ଚ ମଧ୍ୟରେ ସିଧାସଳଖ ବିବାଦର ଅର୍ଥ ହେଉଛି ପୃଥିବୀ ତୃତୀୟ ବିଶ୍ୱଯୁଦ୍ଧଠାରୁ ଗୋଟିଏ ପାଦ ଦୂରରେ। କିନ୍ତୁ କୌଣସି ବ୍ୟକ୍ତି ଏପରି ପରିସ୍ଥିତି ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି। ରିପୋର୍ଟ ଅନୁଯାୟୀ, ୧୯୬୨ ମସିହାରେ କ୍ୟୁବା ମିସାଇଲ୍ ସଙ୍କଟ ପରେ ୟୁକ୍ରେନ ଯୁଦ୍ଧ ପାଶ୍ଚାତ୍ୟ ଦେଶ ସହିତ ମସ୍କୋ ସମ୍ପର୍କ ମଧ୍ୟରେ ଗଭୀର ସଙ୍କଟ ସୃଷ୍ଟି କରିଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗତ ମାସରେ କହିଥିଲେ ଯେ ଭବିଷ୍ୟତରେ ସେ ୟୁକ୍ରେନରେ ସୌନ୍ୟ ନିୟୋଜନକୁ ଏଡ଼ାଇ ପାରିବେ ନାହିଁ। ଅନେକ ପାଶ୍ଚାତ୍ୟ ଦେଶ ଏଥିରୁ ନିଜକୁ ଦୂରେଇ ରଖିଥିବାବେଳେ ପୂର୍ବ ୟୁରୋପରେ ଏହାକୁ ସମର୍ଥନ ମିଳଥିଲା।