ଆଜି ଶ୍ରୀମନ୍ଦିର ଫଗୁ ଦଶମୀ; ସପ୍ତାହେ ଧରି ପାଳନ ହେବ ଦୋଳ ଉତ୍ସବ

ଓଏଲ୍ ବ୍ୟୁରୋ: ଆଜି ଫଗୁ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଫଗୁଣ ଶୁକ୍ଳ ଦଶମୀ ଠାରୁ ମହାପ୍ରଭୁଙ୍କର ଦୋଳ ଉତ୍ସବ ମଧ୍ୟ ଆରମ୍ଭ ହେବ। ଏହି ସମୟରେ ଶ୍ରୀମନ୍ଦିରରେ ଫଗୁଣ ଶୁକ୍ଳ ଦଶମୀରୁ ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶ ଦ୍ୱିପ୍ରହର ଧୂପ ପରେ ପରେ ଆୟୋଜିତ ହୋଇ ସଂନ୍ଧ୍ୟା ଧୂପପୂର୍ବରୁ ଓହ୍ଲାଇ ଦିଆଯାଏ। ଠାକୁରମାନଙ୍କ ମଧ୍ୟାହ୍ନଧୂପ ସରିବାପରେ ମେକାପ ସେବକମାନେ ଠାକୁରଙ୍କୁ ଚନ୍ଦନଲାଗି, ବସ୍ତ୍ର ଓ ମାଧାବଳୀ ଆଦି ନୂଆ ଲୁଗା ଲାଗି କରାଇ ୬ମୂର୍ତ୍ତି ଅଳଙ୍କାର ଯଥା ୪ସୁବର୍ଣ୍ଣ କୁଣ୍ଡଳ ଓ ୨ ତଡଗୀ ଲାଗି କରିଥାନ୍ତି। ଚାଚେରୀ ବେଶରେ ନାଲି ରଙ୍ଗର ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ। ଚାଚେରୀ ବେଶରେ ଦିଅଁମାନେ ସ୍ୱତନ୍ତ୍ର ଶୈଳୀରେ ପିନ୍ଧିଥିବା ଶାଢ଼ୀ, ମସ୍ତକର ଶ୍ରୀକପଡ଼ା, ହାତରେ ଧରିଥିବା ରୁମାଲ ସବୁ ନାଲିରଙ୍ଗର ହୋଇଥାଏ।
ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଛି ନୀତିକାନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୪ରେ ମେଣ୍ଡାପୋଡ଼ି ଏବଂ ୨୫ରେ ଦୋଳ ପୂର୍ଣ୍ଣିମା ଥିବାରୁ ସ୍ୱତନ୍ତ୍ର ନୀତିକାନ୍ତି ନେଇ ବୈଠକରେ ଆଲୋଚନା ହୋଇଛି। ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ନେଇ ସମସ୍ତ ବ୍ୟବସ୍ଥା କରାଯିବ। ଗ୍ରୀଷ୍ମ ପ୍ରବାହକୁ ଦେଖି ପାନୀୟ ଜଳର ବ୍ୟବସ୍ଥା କରାଯିବ।