ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି: ଆରମ୍ଭରୁ ଆସିଲାଣି ଏକାଧିକ ଅଭିଯୋଗ

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ନିର୍ବାଚନୀ ବିଗୁଲ ବାଜିଛି। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଏକାଧିକ ଅଭିଯୋଗ ସାମ୍ନାକୁ ଆସିଛି।
ନିର୍ବାଚନ ଆଚରଣ ବିଧି ଅର୍ଥ ହେଉଛି ରାଜନୈତିକ ଦଳ ଏବଂ ଏହାର ଦଳୀୟ ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ନିର୍ଦ୍ଦେଶାବଳୀ। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଆଦର୍ଶ ଆଚରଣ ସଂହିତା ବଳବତ୍ତର ରହିଛି। ଭାରତୀୟ ସମ୍ବିଧାନରେ ଏ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ଦେଶରେ ନିର୍ବାଚନ ବେଳେ ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ କରିବା ପ୍ରକ୍ରିୟା ପୂର୍ବତନ ନିର୍ବାଚନ କମିଶନର ଟି.ଏନ ଶେଷନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ନିର୍ବାଚନ ଆଚରଣ ବିଧି ଅଧିନରେ ଏପରି କିଛି ନିୟମ ଅଛି ଯାହାକୁ ରାଜନୈତିକ ଦଳ କିମ୍ବା ଏହାର ଦଳୀୟ ପ୍ରାର୍ଥୀଙ୍କ ମାନିବାକୁ ହୋଇଥାଏ। ଯଦି ସେମାନେ ଏହାକୁ ଉଂଲଘନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି।
ନିର୍ବାଚନ ଆଚରଣ ବିଧି ହେଉଛି ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିର୍ଦ୍ଦେଶାବଳୀ। ଯାହା ଦ୍ୱାରା ମୁକ୍ତ ଏବଂ ଅବାଧ ନିର୍ବାଚନ ଅନୁଷ୍ଠିତ କରାଯାଇ ପାରିବ। ନିର୍ବାଚନ ଆଚରଣ ବିଧି ୮ ଭାଗରେ ବିଭକ୍ତ ହୋଇଥାଏ। ନିର୍ବାଚନ ଆୟୋଗ ୱେବସାଇଟ ଠାରେ ଉପଲବ୍ଧ ସୂଚନା ଅନୁଯାୟୀ ନିର୍ବାଚନ ଆଚରଣ ବିଧି ରାଜନୈତିକ ଦଳ ଏବଂ ଏହାର ଦଳୀୟ ପ୍ରାର୍ଥୀଙ୍କ ମାର୍ଗଦର୍ଶନ ପାଇଁ ଜାରି ହୋଇଥାଏ। ଯେଉଁଥିରେ ସାଧାରଣ ଆଚରଣ, ବୈଠକ ଏବଂ ପ୍ରକ୍ରିୟା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ରହିଛି।