ବଦଳିଲା ପାଗ; ରାଜଧାନୀରେ ବଢ଼ିଲା ତାପମାତ୍ରା

ଓଏଲ୍ ବ୍ୟୁରୋ: ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ରାଜ୍ କରୁଥିବାବେଳେ ହଠାତ କାଳବୈଶାଖୀର ପ୍ରଭାବ ଅସହ୍ୟ ତାତିରୁ ମୁକ୍ତି ଦେଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଥିଲା। ଏହା ପରେ କାଳବୈଶାଖୀ କାରଣରୁ ବର୍ଷା ସହ ପବନ ପ୍ରଭାବରେ ତାତିରୁ ତ୍ରାହି ମିଳିଛି। ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିଲା ବେଳେ ଆଜିଠାରୁ ପାଗରେ ପରିବର୍ତ୍ତନ ହୋଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆଜିଠାରୁ ପାଗ ସ୍ୱାଭାବିକ ହେବ। ଆଜି ୬ଟି ଜିିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ହେଲେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ। ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ଦିନର ତାପମାତ୍ରା ମଧ୍ୟ ବଢ଼ିବ। ଏପରିକି ଦିନର ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ଥିବା କୁହାଯାଇଛି। ତେବେ ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।