ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଏଥର ବି ଓଡ଼ିଶାରୁ ନାହାନ୍ତି କେହି
![](https://www.odishalink.com/wp-content/uploads/2023/03/BJPP-750x430.jpg)
ଓଏଲ୍ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ଚାଲିଛି ଜୋରଦାର ପ୍ରସ୍ତୁତି। ଆଜି କେନ୍ଦ୍ରରେ କ୍ଷମତାସୀନ ବିଜେପି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ତାମିଲନାଡୁର ୧୪ ଜଣ ଲୋକସଭା ଆସନ ପାଇଁ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଏହା ସହ ପୁଡୁଚେରୀର ଗୋଟିଏ ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଜାରି କରିଛି। ହେଲେ ଏଥର ବି ବିଜେପି ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପି ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ନ କରିବା ଏବେ ସବୁଠି ଚର୍ଚ୍ଚାରେ।
ସୂଚନା ଅନୁସାରେ, ଗତକାଲି ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍ଙ୍କୁ ବିଜେପି ଟିକେଟ୍ ଦେଇଛି। ସେ ଚେନ୍ନାଇ ଦକ୍ଷିଣ ଆସନରୁ ଲଢ଼ିବେ। ସେହିପରି ତାମିଲନାଡୁର ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କୁ ଦଳ କୋଏମ୍ବାଟୁରରୁ ପ୍ରାର୍ଥୀ କରିଛି। କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗାନ ନୀଲଗିରୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନଟି ଏସ୍ସି ସଂପ୍ରଦାୟକ ପାଇଁ ସଂରକ୍ଷିତ। ଏଲ ମୁରୁଗାନ ୨୦୨୧ରେ ରାଜ୍ୟସଭାକୁ ଯିବା ସହ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏବେ ସେ ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।
ଏହାବାଦ ଚେନ୍ନାଇ ସେଣ୍ଟ୍ରାଲରୁ ବିନୋଜ ପି ସେଲଭମ, ଭେଲ୍ଲୋରରୁ ଏସି ଶାନମୁଗମ, କୃଷ୍ଣଗିରିରୁ ସି ନରସୀମା, ପେରାମବାଲୁରରୁ ଟିଆର ପରବିନ୍ଧର, ଟୁତକୁଡ୍ଡିରୁ ଏନ ନଗେନ୍ଦ୍ରନ ଓ କନ୍ୟାକୁମାରୀରୁ ପି ରାଧାକ୍ରିଷ୍ଣନଙ୍କୁ ବିଜେପି ଟିକେଟ ଦେଇଛି। ଏହାପୂର୍ବରୁ ବିଜେପି ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।