ନିର୍ବାଚନ ପୂର୍ବରୁ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକ ବିଦା
![](https://www.odishalink.com/wp-content/uploads/2023/06/BIJAY-750x430.jpg)
ଓଏଲ୍ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ସମସ୍ତଙ୍କୁ ଚମକାଇଦେବା ଭଳି ଗୋଟିଏ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ଅନ୍ୟପଟେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ଶୀର୍ଷ ନେତୃତ୍ୱ ନିର୍ବାଚନ ସମନ୍ୱୟ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ଏଆଇସିସି ପକ୍ଷରୁ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ବିଜୟଙ୍କୁ ଅଚାନକ ହଟାଇ ଦିଆଯିବାକୁ ନେଇ ରାଜ୍ୟ କଂଗ୍ରେସରେ ଯେ ସବୁକିଛି ଠିକଠାକ୍ ଚାଲିନାହିଁ ତାହା ସ୍ପଷ୍ଟ ହୋଇଛି।
ସୂଚନାଥାଉକି, ଗତବର୍ଷ ଏପ୍ରିଲ୍ ମାସରେ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ନିର୍ବାଚନ ମୁଣ୍ଡ ଉପରେ ଥିଲା ବେଳେ ପ୍ରଚାର କମିଟିର ଅଧ୍ୟକ୍ଷଙ୍କୁ ବଦଳାଇଦିଆଯିବା ଘଟଣା କଂଗ୍ରେସ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଇସ୍ତାହାରକୁ ନେଇ ଦେଖାଦେଇଥିଲା ବିବାଦ। ବିଜୟଙ୍କ ବିରୋଧରେ ସଙ୍ଗୀନ୍ ଆଭିଯୋଗ ଆଣିଥିଲେ ପଞ୍ଚାନନ କାନୁନଗୋ। ସେ କରିଥିବା ଇସ୍ତାହାରକୁ ବିଜୟ ବଦଳାଇ ଦେଇଥିବା ଆଭିଯୋଗ କରିଥିଲେ।