ଝାରପଡ଼ା ଜେଲରେ ସଂଘର୍ଷ; ଚାକିରିରୁ ନିଲମ୍ବିତ ହେଲେ ଜେଲ୍ ୱାର୍ଡର

ଓଏଲ୍ ବ୍ୟୁରୋ: ରାଜ୍ୟର ଅନ୍ୟତମ ପ୍ରମୁଖ ଜେଲ୍ ତଥା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ, ମାଦକଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। କଏଦୀମାନେ ନିଶା ଖାଇ ଅୟସ୍ ଜୀବନ ବିତାଉଥିବାବେଳେ ନିର୍ଦ୍ଦିଷ୍ଟ ତଥା ଏକାଧିକ ଗ୍ୟାଙ୍ଗ୍ର ସଦସ୍ୟମାନେ ରାଜ୍ କରୁଛନ୍ତି। ତେବେ ଏହାରି ମଧ୍ୟରେ ଜେଲ୍ରେ ପିଟାପିଟି ଘଟଣା ସାମ୍ନାକୁ ମଧ୍ୟ ଆସିଥିଲା। ପିଟାପିଟି ଘଟଣା ପରେ ଚକରା ଓ ଶମ୍ଭୁ ସହ ୨୦ କଏଦୀଙ୍କୁ ସ୍ଥାନାନ୍ତର ଅନୁମତି ମଗାଯାଇଥିଲା। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୱାର୍ଡର ପ୍ରଭାତ ମହାରଣାଙ୍କୁ ସସ୍ପେଣ୍ଡ କଲେ ଜେଲ୍ କର୍ତ୍ତୃପକ୍ଷ। ରାତି ଡ୍ୟୁଟିରେ ଦାୟିତ୍ୱରେ ଥିବା ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କୁ ବଦଳି କରାଯାଇଛି।
ଅନ୍ୟପଟେ, ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ। ଚକରା ଓ ଶମ୍ଭୁ ସହ ୨୦ କଏଦୀଙ୍କୁ ସ୍ଥାନାନ୍ତର ଅନୁମତି ମଗାଯାଇଥିବା ସୂଚନା ରହିଛି। କୋର୍ଟକୁ ଅନୁମତି ମଗାଯାଇଥିବା ଜେଲ୍ ଡିଜି ସୂଚନା ଦେଇଛନ୍ତି। ଜେଲ୍ରେ ପିଟାପିଟି ଘଟଣାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି। ଗୃହ ବିଭାଗକୁ ତଦନ୍ତ ସମ୍ପର୍କିତ ରିପୋର୍ଟ ପଠାଯାଇଛି। ଜେଲ୍ କର୍ତ୍ତୃପକ୍ଷଙ୍କ ତ୍ରୁଟି ଧରାପଡ଼ିଥିବା ଜେଲ୍ ଡିଜି କହିଛନ୍ତି।