ଟିକେଟ୍ ପାଇବା ପରେ ଶ୍ରୀଜିଉଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର, ସମ୍ବିତ
ଓଏଲ୍ ବ୍ୟୁରୋ: ଭାରତୀୟ ଜନତା ପାର୍ଟିରୁ ଟିକେଟ୍ ପାଇବା ପରେ ଆଜି ସକାଳେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଦୁଇ ଲୋକସଭା ସାଂସଦ ପ୍ରାର୍ଥୀ। ପୁରୀର ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଓ ସମ୍ବଲପୁରର ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି।
ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରକୁ ଯାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୁର୍ଦୁଳା ଠାକୁର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଲୋକସଭା ସାଂସଦ ପ୍ରାର୍ଥୀ ଘୋଷଣା ପର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏଥିସହ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ଶ୍ରୀଜିଉଙ୍କ ଦର୍ଶନ ପରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋର ପରମ ସୌଭାଗ୍ୟ, ଆଜି ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇଲି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ମୋଦିଙ୍କ ଦୃଷ୍ଟି, ସଂକଳ୍ପ ଓ ଯୋଜନାକୁ ନେଇ ଆଗକୁ ବଢିବୁ। ଆଗାମୀ ୨୫ ବର୍ଷର ସ୍ୱପ୍ନକୁ ନେଇ ଘରକୁ ଘର ବୁଲିବୁ। ଓଡ଼ିଶାରେ ଏଥର ପରିବର୍ତ୍ତନ ନିଶ୍ଚିତ ହେବ। ମହାପ୍ରଭୁ ବି ନବକଳେବର ହୋଇ ପରିବର୍ତ୍ତନ ସ୍ୱୀକାର କରନ୍ତି। ଗୁଣ୍ଡୁଚି ମୂଷା ଭଳି ସମ୍ବଲପୁର ବିକାଶ ପାଇଁ କାମ କରିବି। ଏଥର ଡବଲ ଇଞ୍ଜିନ ସରକାର ହେବ। ଏଥର ସମ୍ବଲପୁରବାସୀ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଆଶା କରିଛନ୍ତି ଧର୍ମେନ୍ଦ୍ର।
ସେହିପରି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଗତ ଥର ଅଳ୍ପ ବ୍ୟବଧାନରେ ରହିଯାଇଥିଲା। ମହାପ୍ରଭୁ କହିଥିଲେ, ଅଧିକ ତପସ୍ୟା କରିବାକୁ ପଡ଼ିବ। ତାଙ୍କର ଆଜ୍ଞା ପାଳନ କରି ମୁଁ ୫ ବର୍ଷ ଲୋକଙ୍କ ସହିତ ରହିଛି। ଜନ ପ୍ରତିନିଧି ପାଇଁ ଏହା ହିଁ ତପସ୍ୟା। ଏବେ ମହାପ୍ରଭୁ ଯାହା ଦେବେ, ତାକୁ ସ୍ୱୀକାର କରିବି।