ଦଳ ଦାୟିତ୍ବ ଦେଲେ ନିଶ୍ଚିତ ଲଢ଼ିବି: ସୁରେଶ ପୂଜାରୀ
![](https://www.odishalink.com/wp-content/uploads/2024/03/suresh.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ପ୍ରକାଶ ପାଇଛି ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଏହା ସହ ବିଜେପି ମଧ୍ୟ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଲୋକସଭା ଟିକେଟ୍ରୁ ବଞ୍ଚିତ ସାଂସଦ ସୁରେଶ ପୂଜାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳ ଦାୟିତ୍ବ ଦେଲେ ନିଶ୍ଚିତ ଲଢ଼ିବି, ବିଗତ ଦିନରେ ଦାୟିତ୍ବ ତୁଲାଇଛି। ଅନ୍ୟ ଦଳକୁ ଆଦୌ ଯିବିନି, ଶେଷ ଜୀବନ ପର୍ଯ୍ୟନ୍ତ ବିଜେପିରେ ରହିବି।
ତେବେ ଏସବୁ ମଧ୍ୟରେ କଂଗ୍ରେସ କାହାକୁ କେଉଁ ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚା ଆରମ୍ଭ ହୋଇଛି। କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ କହିଛନ୍ତି, ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ। ମୁଁ ନର୍ଲାରୁ ବିଧାନସଭା ନିର୍ବାଚନ ଲଢ଼ିବି ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ନିଜେ କହିଛନ୍ତି।
ଅନ୍ୟପଟେ, ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ନିର୍ବାଚନ ଲଢ଼ିବେ। ଦିଲ୍ଲୀରୁ ଫେରିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ଅପରାଜିତା ଷଡ଼ଙ୍ଗୀ। ଟିକେଟ ଘୋଷଣା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ। ସାଙ୍ଗରେ ଅଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ନିକଟରେ ବିଜେଡି ଛାଡ଼ି ବିଜେପିରେ ପ୍ରଶାନ୍ତ ଜଗଦ୍ଦେବ ମିଶିଛନ୍ତି।
ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା ହୋଇଥିବାବେଳେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି। ବିଜେଡିର ଟିକେଟ୍ ଘୋଷଣା ପରେ ପୁରୀ ସଂସଦୀୟ କ୍ଷେତ୍ରର ବିଧାୟକ ପ୍ରାର୍ଥଙ୍କ ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ତେବେ ସମ୍ବଲପୁରରୁ ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆଗାମୀ ନିର୍ବାଚନରେ କିଏ ବାଜି ମରିବ ତାହା ଦେଖିବାକୁ ବାକି ରହିଲା।
ତେବେ ରାଜଧାନୀ କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା। ତେବେ ବିଜେପି କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା ବିଜେପି ପ୍ରାର୍ଥୀ ହୋଇଥିଲେ। ଅନୁଭବ ମହାନ୍ତି ବିଜେଡିରୁ ବାଜିମାତ କରିଥିଲେ। ତେବେ ଏଥର କେନ୍ଦ୍ରାପଡ଼ା ବାସିନ୍ଦା କାହା ଉପରେ ଭରସା କରି ମୋହର ମାରିବେ ତାହା ଦେଖିବାକୁ ବାକି ରହିଲା।