ଏଗ୍ଜିଟ୍ ପୋଲ୍ ଉପରେ ଲାଗିଲା ରୋକ୍
ଓଏଲ୍ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାରପ୍ରସାରରେ ଲାଗିପଡିଛି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ଗ୍ଜିଟ୍ ପୋଲ ଉପରେ ଲାଗିଛି ରୋକ୍। ଏଣିକି ଆଉ ଏଗ୍ଜିଟ୍ ପୋଲ୍ ଦେଖାଇ ପାରିବେନି କୌଣସି ବି ଖବର ସରବରହା ସଂସ୍ଥା। ଏହାର ପ୍ରକାଶନ ଓ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତିି।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ଏଗ୍ଜିଟ୍ ପୋଲ୍ ଉପରେ ବାରଣ କରାଯାଇଛି। ଏହି ଅବଧି ମଧ୍ୟରେ, କୌଣସି ଏଗ୍ଜିଟ୍ ପୋଲ୍ ଆୟୋଜିତ କରାଯାଇପାରିବ ନାହିଁ। ଏଥିସହ ଏହା ପ୍ରକାଶିତ କିମ୍ବା ଏହାକୁ ସାର୍ବଜନୀନ କରାଯାଇ ପାରିବ ନାହିଁ।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି। ଏହାପୂର୍ବରୁ ମଧ୍ୟ ସାରା ଦେଶରେ ଆଚରଣ ବିଧି କାର୍ଯ୍ୟକାରୀ ହୋଇସାରିଛି। ଲୋକସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରି ସାରିଛନ୍ତି। ସୂଚନାଥାଉକି, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନ ହେବ। ସେହି ସମୟ ମଧ୍ୟରେ ୧୨ଟି ରାଜ୍ୟର ୨୫ଟି ବିଧାନସଭା ଆସନରେ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।