ବ୍ରିଜ ତଳକୁ ଖସିଲା ସ୍କୁଟି; ଚାଲିଗଲା ୩ ଜୀବନ

ଓଏଲ୍ ବ୍ୟୁରୋ: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ସ୍କୁଟି। ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ ଜୀବନ। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଏହି ଦୁର୍ଘଟଣା ଘଟିଛି। ୩ ମୃତ ଯୁବକମାନେ ବେରେଡାକିଆ ଓ ଡଲାବାଲି ଅଞ୍ଚଳର ହୋଇଥିବା ସୂଚନା ରହିଛି।
ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ବ୍ରିଜ ତଳେ ୩ ଜଣ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଦୁର୍ଘଟଣାରେ ସ୍କୁଟିଟି ମଧ୍ୟ ଭାଙ୍ଗିଯାଇଛି।
ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ବେରେଡାକିଆରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଡଲାବାଲିର ବୋଲି ଜଣାପଡ଼ିଛି। ଏମାନେ ହେଲେ ବସନ୍ତ ପଣ୍ଡା, ବ୍ରହ୍ମାନନ୍ଦ ଭୋଇ ଓ କୁସଲ ଦିଗାଲ।ସମସ୍ତେ ରାଇକିଆ ଅଞ୍ଚଳରେ ରହୁଥିବା ପୁଲିସ ସୂଚନା ଦେଇଛି।