“ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନକୁ ଦେଖି ଭୋଟ୍ ଦିଅ”

ଓଏଲ୍ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରର ପରି ରାଜ୍ୟ ରାଜନୀତିର ପାରା ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ନେତାଙ୍କ ଦଳବଦଳ ସେତେ ପରିମାଣର ବଢିବାରେ ଲାଗିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍ କରିଛନ୍ତି ବଡ଼ ଘୋଷଣା। ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ବ୍ୟବଧାନରେ ବାଜିମାତ କରିବ ବୋଲି ସେ କହିଛନ୍ତି।
ରାଜଧାନୀ ଭୁବନେଶ୍ବରଠାରେ ଆୟୋଜିତ ହୋଇଥିଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେଇ ଭି କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି, ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ବ୍ୟବଧାନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି। ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ। ସେହିଭଳି ଲୋକସଭାରେ ମଧ୍ୟ ଗତଥରଠାରୁ ଭଲ ପ୍ରଦର୍ଶନ କରିବ ଦଳ। ସେଥିପାଇଁ ଜନତାଙ୍କଠୁ ଦୁଇଟି ଆଶୀର୍ବାଦ ଦରକାର। ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ। ପ୍ରାର୍ଥୀକୁ ଦେଖିବେ ନାହିଁ। ବରଂ ନବୀନ ପଟ୍ଟନାୟକ ଓ ଶଂଖ ଚିହ୍ନକୁ ଦେଖିବେ ଆଉ ଭୋଟ ଦେବେ।
ସେହିପରି ସେ ଆହୁରି କହିଛନ୍ତି ଯେ ୧୪୭ ବିଧାସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ହିଁ ଛିଡ଼ା ହୋଇଛି। ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ଗୋଟେ ସମୟରେ ୧୧ଟଙ୍କାରୁ ୨୫ ଟଙ୍କାକୁ ଦୈନିକ ମଜୁରୀ ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏବେ ମଧ୍ୟ ନବୀନ ପଟ୍ଟନାୟକ ସର୍ବାଧିକ ୧୦୦ ଟଙ୍କା ମଜୁରୀ ବୃଦ୍ଧି କରି ରେକର୍ଡ କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗ ମଜୁରୀ ବୃଦ୍ଧି ସପକ୍ଷରେ ନଥିଲେ। କାରଣ ୧୦୦ ଟଙ୍କା ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫ରୁ ୬ହଜାର କୋଟି ଟଙ୍କାର ଅଧିକ ବୋଝ ପଡ଼ିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତି ଥିଲା ଯେଉଁ ଶ୍ରମିକମାନେ ରାଜ୍ୟ ବିକାଶର ମୁଖ୍ୟ ବିନ୍ଧାଣୀ ସେମାନଙ୍କ ପାଇଁ ୫/୬ ହଜାର କୋଟିର ବୋଝ ନେବାକୁ ସରକାର ପ୍ରସ୍ତୁତ।