ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲା: ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ଓଏଲ୍ ବ୍ୟୁରୋ: ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାରେ ବାବା ରାମଦେବ ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଥିଲେ ବାବା ରାମଦେବ। ଗ୍ରହଣ କଲେନି ସୁପ୍ରିମକୋର୍ଟ। ଏପ୍ରିଲ ୨ରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାକୁ ନେଇ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ। ଏହି ମାମଲାର ଆଉ ଏକ ଶୁଣାଣି ଥିବା ବେଳେ ସୁପ୍ରିମକୋର୍ଟ ଦୁହିଁଙ୍କ କ୍ଷମାକୁ ଗ୍ରହଣ କରିନଥିବା ଜଣାପଡ଼ିଛି।
ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଏହା ପୂର୍ବରୁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ସାରିଛନ୍ତି ଉଭୟ ରାମଦେବ ଓ ବାଳକୃଷ୍ଣ। ମାତ୍ର ଏହାକୁ ଗ୍ରହଣ ନ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ବି ଚେତାଇ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ହିମା କୋହଲି ଓ ଏ. ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆମେ ଉଦାର ହୋଇ ପାରିବୁ ନାହିଁ। ଜାଣିଶୁଣି ତିନି ତିନି ଥର ଆମ ନିର୍ଦ୍ଦେଶକୁ ବେଖାତିର କରାଯାଇ ନିୟମକୁ ଉଲ୍ଲଘଂନ କରାଯାଇଛି। ତେଣୁ ଆମେ ଉଭୟଙ୍କ କ୍ଷମାକୁ ଗ୍ରହଣ କରିବୁ ନାହିଁ ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଏପରି ଭୁଲ୍ ବାରମ୍ବାର ଗ୍ରହଣୀୟ ନୁହେଁ। ଏଥିପାଇଁ ଦଣ୍ତ ମିଳିବ। ଆମକୁ ସବୁକିଛି ଦେଖାଯାଉଛି। ଆମେ ଅନ୍ଧ ନୁହେଁ ବୋଲି କୋର୍ଟ ଭର୍ତ୍ସନା କରିଛନ୍ତି। ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା। ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ୱାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା। ତେବେ ବାରମ୍ବାର କହିବା ପରେ ମଧ୍ୟ ନଶୁଣିଥିବାରୁ ରାମଦେବଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି।