ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଆଜି ସରୁଛି ପ୍ରଚାର, ୧୯ରେ ଭୋଟ ଗ୍ରହଣ

ଓଏଲ୍ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଆସନ୍ତା ୧୯ ତାରିଖରେ ମତଦାନ। ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା। ତା’ମଧ୍ୟରେ ପ୍ରମୁଖ ଆସନ ଗୁଡ଼ିକ ହେଉଛି, ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ପିଲିଭିଟ୍, ମୁଜାଫରନଗର, ଆସାମର ଦିବ୍ରୁଗଡ଼ ଏବଂ ସୋନିତପୁର, ଛତିଶଗଡ଼ର ବସ୍ତର୍, ବିହାରର ଜାମୁଇ ଏବଂ ଗୟା, ଜାମ୍ମୁ କାଶ୍ମୀରର ଉଦମପୁର।
ସେହିଭଳି ମଧ୍ୟପ୍ରଦେଶର ଛିନ୍ଦୱାଡ଼ା, ତାମିଲନାଡୁର ଉତ୍ତର ଚେନ୍ନାଇ, ଦକ୍ଷିଣ ଚେନ୍ନାଇ, କେନ୍ଦ୍ର ଚେନ୍ନାଇ ଏବଂ କୋଇମ୍ବାଟୁର, ଥୁଠୁକୁଡ଼ି, ତିରୁନେଲଭାଲି, କନ୍ୟାକୁମାରୀ, ମଣିପୁର ଇନର୍ ମଣିପୁର ଏବଂ ଆଉଟର୍ ମଣିପୁର, ରାଜସ୍ଥାନର ବିକାନେର୍, ପଶ୍ଚିମବଙ୍ଗର କୁଚବେହାର ଏବଂ ଆଲ୍ଲିପୁରଦୁଆର ମଧ୍ୟ ପ୍ରମୁଖ ରହିଛି। ଏସବୁ ସ୍ଥାନରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବିଶେଷ କରି ମାଓପ୍ରଭାବିତ ଅଞ୍ଚଳରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୋଲିଂ ଅଧିକାରୀ ମାନଙ୍କୁ ହେଲିକପ୍ଟରରେ ନିର୍ଦ୍ଧାରିତ ପୋଲିଂ ସେଣ୍ଟରକୁ ନିଆଯାଉଛି। ତେବେ ଦେଶରେ ଏଥର ମୋଦି ମ୍ୟାଜିକ କାମ କରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।