ଓଡ଼ିଶା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

ଓଏଲ୍ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଆସନ୍ତା ୧୯ ତାରିଖରେ ମତଦାନ। ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା। ସେହିଭଳି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ।
ନାମାଙ୍କନ ପତ୍ର ଯାଞ୍ଚ କାର୍ଯ୍ୟ ନିମନ୍ତେ ଏପ୍ରିଲ ୨୬ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୨୭ ତାରିଖ ସମୟ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ଆସନ୍ତା ୧୩ ତାରିଖରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ସମେତ ୨୮ଟି ବିଧାନସଭା ଆସନ ନିମନ୍ତେ ନିର୍ବାଚନ ହେବ। ଲୋକସଭା ଆସନଗୁଡିକ ହେଉଛି କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ। ଆଗାମୀ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ନିର୍ବାଚନୀ କସରତ ଜାରି ରଖିଥିବାବେଳେ ପର୍ଯ୍ୟାୟ କ୍ରମେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଉଛି।