ଏଥର କାହାକୁ ଭରସା କରିବେ କଣ୍ଟାବାଞ୍ଜି ବାସିନ୍ଦା?

ଓଏଲ୍ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ଏନେଇ ସବୁ ଦଳର ପ୍ରାର୍ଥୀ ଓହ୍ଲାଇଲେଣି ପ୍ରଚାର ମଇଦାନରେ। କୁହାଯାଉଛି ଏଥର ୨୪ରେ କଡା ଟକ୍କର ହେବାକୁ ଯାଉଛି। ମୁହାମୁହିଁ ହେବେ ହେଭିଓ୍ବେଟ୍। ପୂର୍ବରୁ ଭୁବନେଶ୍ୱର ଓ ସମ୍ବଲପୁରରେ ମହା ସଂଗ୍ରାମ ହେବ ବୋଲି କୁହାଯାଉଥିବାବେଳେ ଅନ୍ୟ ଜିଲାରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିପାରେ। ଏହି କ୍ରମରେ ସବୁଠୁ ବେଶୀ ଚର୍ଚ୍ଚିତ ଖବର ପାଲଟିଛି କଣ୍ଟାବାଞ୍ଜି ରାଜନୀତି। କଂଗ୍ରେସ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଲକ୍ଷ୍ମଣ ବାଗଙ୍କୁ ପ୍ରାର୍ଥୀ କରିଛି। ହେଲେ ସବୁଠୁ ବଡ ଘଟଣା ହେଉଛି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଛି।
ତଥ୍ୟ ଅନୁସାରେ, ୨୦୧୯ରେ ମଧ୍ୟ ଓଡିଶାର ବିଭିନ୍ନ ଅଞ୍ଚଳରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। କଂଗ୍ରେସ ଏହି ଆସନରୁ ସନ୍ତୋଷ ସିଂ ସାଲୁଜାଙ୍କୁ ଟିକେଟ୍ ଦେଇଥିବାବେଳେ ଭାଜପା ଲକ୍ଷ୍ମଣ ବାଗ ଓ ବିଜେଡି ଅଜୟ କୁମାର ଦାସଙ୍କୁ ଟିକେଟ୍ ଦେଇଥିଲା। ଏଥିରେ ସାଲୁଜା ୬୪,୨୪୬ ଭୋଟ୍ ପାଇ ବିଜୟୀ ହୋଇଥିଲେ। ଲକ୍ଷ୍ମଣଙ୍କୁ ୬୪,୧୧୮ ଭୋଟ୍ ମିଳିଥିଲା। ଲକ୍ଷ୍ମଣ ମାତ୍ର ୧୨୮ ଭୋଟ୍ରେ ସାଲୁଜାଙ୍କ ଠାରୁ ପରାସ୍ତ ହୋଇଥିଲେ। ହେଲେ ବିଜେଡି ୩ୟ ସ୍ଥାନରେ ରହିଥିଲା। ତେବେ କଣ୍ଟାବାଞ୍ଜିରେ ବାଜି ମାରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ଏହି ଆସନରୁ ଲଢ଼ିବେ। ତେବେ କଣ୍ଟାବାଞ୍ଜି ବାସିନ୍ଦା କାହାକୁ ଭାଷାର କରିବେ ତାହା ଦେଖିବାକୁ ବାକି ରହିଲା।
ସୂଚନା ଅନୁସାରେ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। ନାମାଙ୍କନ ପତ୍ର ଯାଞ୍ଚ କାର୍ଯ୍ୟ ନିମନ୍ତେ ଏପ୍ରିଲ ୨୬ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୨୭ ତାରିଖ ସମୟ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ଆସନ୍ତା ୧୩ ତାରିଖରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ସମେତ ୨୮ଟି ବିଧାନସଭା ଆସନ ନିମନ୍ତେ ନିର୍ବାଚନ ହେବ। ଲୋକସଭା ଆସନ ଗୁଡିକ ହେଉଛି କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ। ଆଗାମୀ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ନିର୍ବାଚନୀ କସରତ ଜାରି ରଖିଥିବାବେଳେ ପର୍ଯ୍ୟାୟ କ୍ରମେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଉଛି।