ଓଡ଼ିଶା: ନାମାଙ୍କନ ଭରୁଛନ୍ତି ପ୍ରାର୍ଥୀ; ଏଯାବତ ଆସିନି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା!

ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ ୨୦୨୪। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।
ଅନ୍ୟପଟେ, ସେହିଭଳି ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏନେଇ ବିଜ୍ଞପ୍ତି ଜାରି ହେବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏପ୍ରିଲ ୨୫ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୨୯ରେ ନାମାଙ୍କନ ପ୍ରତ୍ୟାହାର ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେପିର କେବଳ ଜୟପୁର ଆସନ ବାକି ରହିଛି। ସେହିପରି କଂଗ୍ରେସ ଗୋପାଳପୁର ଓ ଛତ୍ରପୁର ଆସନରେ ଏ ଯାଏ ପ୍ରାର୍ଥୀ ଘୋଷଣା କରିନି।