କୋରାପୁଟ ଦଖଲ ପାଇଁ କସରତ; ନାମାଙ୍କନ ଭରିଲେ ସପ୍ତଗିରି ଉଲାକା

ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ ୨୦୨୪। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗ୍ରହଣ ଚାଲିଛି।
ସେହିଭଳି ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏନେଇ ବିଜ୍ଞପ୍ତି ଜାରି ହେବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏପ୍ରିଲ ୨୫ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୨୯ରେ ନାମାଙ୍କନ ପ୍ରତ୍ୟାହାର ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ଏହାରି ମଧ୍ୟରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ସପ୍ତଗିରି ଉଲାକା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚଳିତ ନିର୍ବାଚନରେ ବିଜୁ ଜନତା ଦଳ କୋରାପୁଟ ପାଇଁ କୌଶଲ୍ୟା ହିକ୍କା, ବିଜେପି କୋରାପୁଟ ଆସନରୁ କାଳିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। ତେବେ କୋରାପୁଟ ଆସନରେ ବିଜେଡି ମହିଳା କାର୍ଡକୁ ଲଢ଼େଇ ଜାରି ରଖିଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି।