ଘସିପୁରାରୁ ବିଜେପି ପ୍ରାର୍ଥୀ ସୌମ୍ୟ!

ଭୁବନେଶ୍ବର: ପୂର୍ବତନ ବିଜୁ ଜନତା ଦଳ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ସୂଚନା ମିଳୁଛି। ସୂତ୍ର ଅନୁସାରେ ତାଙ୍କୁ ବିଜୁ ଜନତା ଦଳକୁ ଫେରାଇ ଆଣିବା ପାଇଁ ଦଳ ପକ୍ଷରୁ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତା ବାରମ୍ବାର ଉଦ୍ୟମ କରିଥିଲେ ବି ଉଭୟ ପକ୍ଷରୁ ରହିଥିବା ସର୍ତ୍ତକୁ ନେଇ ଅସହମତି ରହିଥିଲା। ଏ ଭିତରେ ବିଜେପିର ପ୍ରଥମ ରାଜ୍ୟ ସଭାପତି ସୌମ୍ୟରଂଜନଙ୍କୁ ଦଳକୁ ଫେରାଇ ଆଣିବାକୁ ବିଜେପି ରାଜ୍ୟ ନେତୃତ୍ବ ଉଦ୍ୟମ ଆରମ୍ଭ କରିଛନ୍ତି।
ସୌମ୍ୟରଂଜନଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ରଣପୁରରୁ ପ୍ରାର୍ଥୀ କରିବା ପାଇଁ ବିଜେପି ଆଗ୍ରହୀ ଥିବାବେଳେ ସ୍ଥାନୀୟ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ସୁରମା ପାଢ଼ୀଙ୍କ ବଦଳରେ ସୌମ୍ୟରଂଜନଙ୍କୁ ପସନ୍ଦ କରୁଥିଲେ। ତେବେ ସୌମ୍ୟରଂଜନ ନୟାଗଡ଼ ଜିଲ୍ଲା ଯିବାପାଇଁ ଅଗ୍ରହ ଦେଖାଇ ନଥିଲେ। ଫଳରେ ଦଳ ତାଙ୍କୁ ଅନ୍ୟ ବିକଳ୍ପ ଭାବେ ଘସିପୁରାରୁ ପ୍ରାର୍ଥୀ ହେବାପାଇଁ ପ୍ରସ୍ତାବ ଦେଇଥିଲା।
ଖୁବ୍ ଶୀଘ୍ର ସୌମ୍ୟରଂଜନ ବିଜେପିରେ ଯୋଗଦେବା ନେଇ ସୂଚନା ମିଳୁଛି। ତାଙ୍କ ବଡ଼ଭାଇ ତଥା କଂଗ୍ରେସ୍ ନେତା ନିରଂଜନ ପଟ୍ଟନାୟକ ଏଥର ଅନ୍ୟତ୍ର ପ୍ରାର୍ଥୀ ହେଉଥିବାବେଳେ ତାଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ ଘସିପୁରାରୁ ସୌମ୍ୟରଂଜନଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେପି ପ୍ରସ୍ତାବ ଦେଇଛି।