ସମ୍ରେ ‘ଭିପିଡି ସର୍ଭେଲାନ୍ସ ଆଣ୍ଡ ଏମ୍ଆର୍ କ୍ୟାମ୍ପେନ୍’ ପ୍ରସଙ୍ଗକୁ ନେଇ କର୍ମଶାଳା ଆୟୋଜିତ
ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଭାଗର ମିଳିତ ସହଯୋଗରେ ‘ଭିପିଡି ସର୍ଭେଲାନ୍ସ ଆଣ୍ଡ ଏମ୍ଆର୍ କ୍ୟାମ୍ପେନ୍’ ପ୍ରସଙ୍ଗକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ସମ୍ ହସ୍ପିଟାଲ୍ କ୍ୟାମ୍ପସ୍ରେ ଆୟୋଜିତ ଏହି କର୍ମଶାଳାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଓ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍ -୧ ଏବଂ କ୍ୟାମ୍ପସ୍-୨ର ପ୍ରାୟ ୬୦ ରୁ ଊଦ୍ଧ୍ୱର୍ ଡାକ୍ତର ଅଂଶ ଗ୍ରହଣ କରିଥିଲେ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟୀକାକରଣର ଭୂମିକା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।
କୋଭିଡ ସମୟର ଭୟାବହତା ପରେ ସାରା ବିଶ୍ୱ ଟୀକାକରଣର ପ୍ରକୃତ ଆବଶ୍ୟକତାକୁ ବୁଝିପାରିଥିଲା । ସେହିପରି ଅନେକ ସଂକ୍ରାମକ ରୋଗ ଗୁଡ଼ିକରୁ ରକ୍ଷା ପାଇବା ପାଇଁ ଟୀକାକରଣର ଆବଶ୍ୟକତା, ଉପାଦେୟତା, ସଚେତନତା ଏବଂ ଏହାର ମୂଲ୍ୟବୋଧତାକୁ କିପରି ସମସ୍ତ ଜନସାଧାରଣଙ୍କ ନିକଟରେ ଗୁରୁତ୍ୱର ସହିତ ପହଂଚା ଯାଇପାରିବତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି କର୍ମଶାଳାରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମମତାଦେବୀ ମହାନ୍ତି, କମ୍ୟୁନିଟି ମେଡିସିନ୍ ବିଭାଗର ଡାକ୍ତର ଲିପିଲେଖା ପଟ୍ଟନାୟକ, ନୋଡାଲ ଅଧିକାରୀ ଡାକ୍ତର ବ୍ରଜ କିଶୋର ବେହେରା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏସ୍ଆର୍ଟିଏଲ୍ର ଡଃ ନିହାର ରଞ୍ଜନ ରାୟ, ଡବ୍ଲ୍ୟୁଏଚ୍ରେ ଏସ୍ଏମ୍ଓ ଡଃ ଅର୍ଚ୍ଚନା ଗାୟେନ୍ ପ୍ରମୁଖ ଉପସ୍ଥିତ ରହି ଟୀକାକରଣ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ । ନିଷ୍ଠାପରତା କାର୍ଯ୍ୟ ଓ ଶୃଙ୍ଖଳିତ କାର୍ଯ୍ୟ ଦକ୍ଷତା ପାଇଁ ଡଃ ବ୍ରଜକିଶୋର ବେହେରାଙ୍କୁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଏହି କର୍ମଶାଳାରେ ସମ୍ମାନିତ କରାଯାଇଥିଲା । ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।