ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି; ବିଜେପିରେ ମିଶିବା ନେଇ ବଢ଼ିଲା ଚର୍ଚ୍ଚା!

ଓଏଲ୍ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ହେଲେ ଅଟକିଛି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।
ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।
ଅନ୍ୟପଟେ, ସବୁଠୁ ରୋଚକ ପାଲଟିଛି କେନ୍ଦ୍ରାପଡା ରାଜନୀତି। ବିଜେଡିରୁ ଇସ୍ତଫା ଦେଲେ ଗୀତାଞ୍ଜଳି ସେଠୀ। କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଦଳର ସଭାପତିଙ୍କୁ ପଠାଇଲେ ନିଜ ଇସ୍ତଫାପତ୍ର। କେନ୍ଦ୍ରାପଡ଼ାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ଛାଡ଼ିଥିବା ସେ କହିଥିବାବେଳେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି।