କମିଶନରେଟ୍ ପୁଲିସ ଜାଲରେ ଲୁଟେରା ଗ୍ୟାଙ୍ଗ; ବନ୍ଧା ହେଲେ ୭ ନକଲି ପୁଲିସ

ଓଏଲ୍ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ କମିଶନରେଟ୍ ପୁଲିସ ହାତରେ ନକଲି ପୁଲିସ ଧାରା ପଡିଛି। ନିଜକୁ କେତେବେଳେ ପୁଲିସ ଅଧିକାରୀ ତ କେତେବେଳେ କ୍ରାଇମବ୍ରାଂଚ ଅଧିକାରୀ କହି ଲୋକଙ୍କ ଠାରୁ ଲୁଟୁଥିଲେ ଟଙ୍କା, ସୁନାଗହଣା। ଗତ ୩ ମାସରେ ରାଜଧାନୀରେ ୧୧ଟି ଘଟଣା ଘଟାଇଛନ୍ତି। ଏହି ଗ୍ୟାଙ୍ଗର ଏବେ ୭ଜଣ ନକଲି ପୁଲିସ ଅଧିକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ।
ମିଳିଥିବା ସୂଚନ ମୁତାବିକ, ଗତ ୩ ମାସରେ ଏହି ଗ୍ୟାଙ୍ଗ ରାଜଧାନୀରେ ୧୧ଟି ଘଟଣା ଘଟାଇଛନ୍ତି। ଭୁବନେଶ୍ୱର ନୁହେଁ, ବାହାର ରାଜ୍ୟ ପାଇଁ ମଧ୍ୟ ଏମାନେ ଥିଲେ ମୋଷ୍ଟ ୱାଂଟେଡ। ମୁମ୍ବାଇ, ରାଂଚି, ପଶ୍ଚିମବଙ୍ଗ, ବିହାର, ଉତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟରେ ଲୁଟ୍ କରିବାର ନୂଆ ନୂଆ ତରିକା ଆପଣାଇଥିଲା ଏହି ଗ୍ୟାଙ୍ଗ। ସୁନା ଆଉ କିଏ ଲୁଟି ନେବ କହି ଲୋକଙ୍କ ଠାରୁ ଗହଣା କାଢ଼ି ନେଉଥିଲେ। ଏବଂ ପାଖରେ ଥିବା ଏକ ପୁଡ଼ିଆକୁ ଧରାଇ ଦେଇ ସବୁ ଲୁଟି ନେଉଥିଲେ। ସେମାନଙ୍କ ନିକଟରୁ ସାଢ଼େ ୩ଲକ୍ଷ ଟଙ୍କା ଏବଂ ୬ ଲକ୍ଷ ଟଙ୍କାର ସୁନାଗହଣା ପୁଲିସ ଜବତ କରିଥିବା ସୂଚନା ରହିଛି।