ଓଡ଼ିଶାକୁ ଗର୍ବିତ କଲେ ଅନିମେଶ ପ୍ରଧାନ; ଶୁଭେଚ୍ଛା ଜଣାଇଲେ ଭି.କେ ପାଣ୍ଡିଆନ

ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଛି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ର ଫଳାଫଳ। ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଅନିମେଷ ପ୍ରଧାନ ଦ୍ୱିତୀୟ ଓ ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୧୦୧୬ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଅନିମେଶ ପ୍ରଧାନ ଦ୍ୱିତୀୟ ରାଙ୍କ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି। ଏହା ପରେ ତାଙ୍କୁ ଭିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସଫଳତା ପାଇବା ପରେ ସେ ପୂର୍ବତନ ଆଇଏଏସ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି।
ଅନିମେଶଙ୍କ ସଫଳତାର ଯାତ୍ରା…
ସେତେ ସହଜ ନ ଥିଲା ଅନିମେଶଙ୍କ ସଫଳତାର ଯାତ୍ରା। ବାପା ଯିବାର ଦୁଇବର୍ଷ ପରେ, ମାନେ ୨୦୨୨ ବେଳକୁ ହଠାତ୍ ତାଙ୍କ ଉପରେ ଆଉ ଗୋଟିଏ ବିପଦ ଆସି ପହଞ୍ଚିଗଲା। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଚୁଡାନ୍ତ ହେଉଥିବା ବେଳେ ମା’ଙ୍କ ଦେହ ଖରାପ ହେଲା। ଆଉ ତମାମ ଡାଇଗ୍ନୋସିସ ପରେ ଜଣାପଡିଲା, ସିଏ ଏବେ କ୍ୟାନସରେ ପୀଡିତ। ଜୀବନର ଆଶା ବି କ୍ଷିଣ, କାରଣ ରୋଗଟା ଶେଷ ଅବସ୍ଥାରେ ପହଞ୍ଚିଥିଲା। ପୁଅର ସୁଖ ଦେଖିବା ଆଗରୁ ଦୁନିଆରୁ ବିଦାୟ ନେଇଗଲେ ମା’।
ଅନିମେଶଙ୍କ ସଫଳତା ପରେ ତମାମ ଖବରକାଗଜ ଆଉ ଟିଭିରେ ବାହାରୁଛି। ଭାଇରାଲ ହେଉଛି ତାଙ୍କ ଫଟୋ। ଅନିମେଶ ନାଁ ରଖିଛନ୍ତି। ୟୁପିଏସସି ସର୍ବଭାରତୀୟ ପରୀକ୍ଷାରେ ତାଙ୍କ ସ୍ଥାନ ୨ୟ। ଏଭଳି ଗୌରବର ସାକ୍ଷୀ ହେବାକୁ କିନ୍ତୁ ତାଙ୍କ ମା’ ନାହାନ୍ତି। ତଥାପି ଏ ସଫଳତାର ସମର୍ପଣ କେବଳ ତାଙ୍କ ମା’ଙ୍କର, ଏ କଥା ସେ କହୁଛନ୍ତି ଆଉ କହୁଥିବେ।