ସମୀର ଦାଶଙ୍କ କାହିଁକି କଟିଲା ଟିକେଟ୍ ? ଭିଡିଓରେ ସ୍ପଷ୍ଟ କଲେ ରାଜା ସ୍ୱାଇଁ

ଓଏଲ୍ ବ୍ୟୁରୋ: ରୋଚକ ମୋଡ଼ରେ ନିମାପଡ଼ା ରାଜନୀତି। ବିଜେଡି ଟିକେଟ ଘୋଷଣା ହେବା ପରେ ନିମାପଡ଼ା ରାଜନୀତିରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର। ବିଜେଡି ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ପରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ। ଏହାରି ମଧ୍ୟରେ ଭାଇରାଲ ହେଉଛି ଏକ ଭିଡିଓ।
ଏପ୍ରିଲ ୨୦ ତାରିଖରେ ବିଧାୟକ ସମୀର ରଞ୍ଜନ ଦାସ ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ସେହି ଦିନ ନିମାପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ ଓ ସରପଞ୍ଚମାନଙ୍କୁ ଶଙ୍ଖ ଭବନକୁ ଡକାଯାଇ ଦିଲ୍ଲୀପଙ୍କୁ ସମର୍ଥନ କରିବାକୁ ଭର୍ଚୁଆଲ ବାର୍ତ୍ତାରେ କହିଥିଲେ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଭିଡିଓରେ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ସମୀର ଦାଶଙ୍କୁ କାହିଁକି ଟିକେଟ ଦିଆଗଲା ନାହିଁ ସେ ନେଇ ସ୍ପଷ୍ଟିକରଣ ରଖିଛନ୍ତି। ସେ କହିଥିଲେ, ଚଳିତ ନିର୍ବାଚନରେ ଦିଲ୍ଲୀପଙ୍କୁ ତୁମେମାନେ ସାହାଯ୍ୟ କରିବା ଉଚିତ୍। ସବୁ ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେବ। ସମୀର ଦାଶଙ୍କୁ ଆମେ ଟିକେଟ ଦେଇଥାଆନ୍ତୁ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସମୀରଙ୍କ ନାଁରେ ଯେଉଁ ପ୍ରକାରର କାଗଜପତ୍ର ବାହାରିଥିଲା, ତାକୁ ଦେଖିଲା ପରେ ଦଳର ନିଷ୍ପତ୍ତି ବଦଳିଥିଲା। ଯଦି ସେହି କଥାଟା ତାଙ୍କୁ ଟିକେଟ ଦେଲା ପରେ ବାହାରିଥାଆନ୍ତା, ତା’ହେଲେ ଦଳର ସମ୍ମାନ ରହି ନଥାଆନ୍ତା। ତେଣୁ ତୁମେମାନେ ଯେଉଁମାନେ ଆସିଛ, ସମସ୍ତଙ୍କୁ ନିବେଦନ ଦୟା କରି ସମସ୍ତେ ଶଙ୍ଖ ଚିହ୍ନକୁ ପୂର୍ବପରି ସାହାଯ୍ୟ କରିବ।
ଏହି ଭିଡିଓ ଭାଇରାଲ ହେବା ପରେ ସମୀର ଦାଶ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି। ସୂଚନାଥାଉକି, ୨୦ ତାରିଖରେ ସମୀର ଦାଶ ତାଙ୍କ ସମର୍ଥକଙ୍କ ସହିତ ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କରିଥିଲେ। ଏଥିସହିତ ହଜାର ହଜାର କର୍ମକର୍ତ୍ତା ଓ ସମର୍ଥକଙ୍କ ଗହଣରେ ସେ ତାଙ୍କ ଟିକେଟ କଟାଯିବା ନିଷ୍ପତ୍ତିରେ ପୁନର୍ବିଚାର କରିବା ପାଇଁ ଦାବି କରିଥିଲେ।