ବିରୋଧୀଙ୍କ ଅସଲ ରୂପ ଲୋକେ ଜାଣନ୍ତି: ନବୀନ ପଟ୍ଟନାୟକ

ଓଏଲ୍ ବ୍ୟୁରୋ: ନବୀନ ନିବାସରୁ ଆରମ୍ଭ ହୋଇଥିଲା ଯୋଡ଼ି ଶଙ୍ଖର ପ୍ରଚାର। ଆଉ ଆଜିଠୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନୀ ମୈଦାନରୁ ପ୍ରତ୍ୟକ୍ଷ ଭାବେ ଆରମ୍ଭ କରିଛନ୍ତି ପ୍ରଚାର। ଜୟ ଜଗନ୍ନାଥ କହି ପ୍ରଚାର ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ। ବିଜେଡି ସରକାରର ବିକାଶର ଗାଥା କହିବା ସହିତ ବିରୋଧୀଙ୍କୁ ମଞ୍ଚରୁ କରିଛନ୍ତି ଟାର୍ଗେଟ।
ନିର୍ବାଚନୀ ପ୍ରଚାର ହେଉ ବା ଭାଷଣରେ ପ୍ରାୟ ବିରୋଧୀଙ୍କୁ ସମାଲୋଚନା କରିନଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ନିଜେ ପ୍ରାର୍ଥୀ ହୋଇଥିବା ହିଞ୍ଜିଳିରେ ଆୟୋଜିତ ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସଭାକୁ ସମ୍ବୋଧନ କରି ନବୀନ କହିଛନ୍ତି, ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା। ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ। ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର। ଏମାନଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏଁ କରିବି। ୨୦୨୪ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।
ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୁରଣ କରିବ। ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ। ବିକାଶ ହେଉଛି ଆମର ପରିଚୟ କିନ୍ତୁ ଦୁଃଖର କଥା, ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି। ସେମାନେ ବିକାଶକୁ ବିରୋଧ କରୁଛନ୍ତି, ଆତ୍ମପ୍ରଚାର କରୁଛନ୍ତି। ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲେଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି। ହେଲେ ପୁରା ଦୁନିଆ ସେମାନଙ୍କ ଅସଲ ରୂପ ଜାଣିଛି। ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି। ଲୋକଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ ଏବଂ ଲୋକସଭାରେ ମଧ୍ୟ ବିଜେଡି ଭଲ କରିବ ବୋଲି ନବୀନ ଦୃଢୋକ୍ତି ଦେଖାଇଛନ୍ତି।