୫ ବର୍ଷରେ ଓଡ଼ିଶାକୁ ଦେଶରେ ନମ୍ବର-୧ ରାଜ୍ୟ କରିବୁ: ଅମିିତ ଶାହ

ଓଏଲ୍ ବ୍ୟୁରୋ: ସୋନପୁର ମାଟିରୁ ନିର୍ବାଚନ ବିଗୁଲ ଫୁଙ୍କିଲେ ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହ। ଓଡ଼ିଶାରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ସୋନପୁର ମାଟିରୁ ଶାହଙ୍କ ରଣହୁୁଙ୍କାର। ଜୟ ଜଗନ୍ନାଥ କହି ଜନସଭାକୁ ସମ୍ବୋଧନ କରିଥିଲେ ଅମିତ ଶାହ। ଏଥିସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହିତ ବିଜୟ ସଂକଳ୍ପ ସମାବେଶରେ କର୍ମୀଙ୍କ ମଧ୍ୟରେ ଜୋଶ ଭରିଛନ୍ତି ଶାହ।
ଅମିତ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରା ଦେଇ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ସାରା ଦେଶରେ ଲୋକସଭା ନିର୍ବାଚନ ଚାଲିଛି। ଆଜି ପ୍ରଥମ ଥର ପାଇଁ ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଛି। ଯେଉଁଆଡେ ମୁଁ ଯାଉଛି, ସବୁଠି ମୋଦି ମୋଦି ନାରା ଗୁଞ୍ଜରିତ ହେଉଛି। ଆଜି ଓଡ଼ିଶାରେ ବି ମୋଦିମୟ ମାହୋଲ ଦେଖିବାକୁ ମିଳିଛି। ଓଡ଼ିଶା ଲୋକ ମଧ୍ୟ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଯାଉଛନ୍ତି। ଓଡ଼ିଶାବାସୀ ୨୦ରୁ ଅଧିକ ଲୋକସଭା ଆସନ ଦେଇ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଯାଉଛନ୍ତି। ଏଥିସହିତ ଓଡ଼ିଶାର ଜନତା ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଧର୍ମ, ଗୌରବ ଓ ଅସ୍ମିତା ପାଇଁ ପ୍ରଥମ ଥର ବିଜେପିର ପୂର୍ଣ୍ଣ ସରକାର ଗଠନ କରିବାକୁ ଯାଉଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁ ସରକାର ନିଜ ରାଜ୍ୟର ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ଗୌରବାନ୍ବିତ କରି ନପାରିଛି ସେ ରାଜ୍ୟକୁ ଆଗକୁ ନେଇ ପାରିବ ନାହିଁ। ଓଡ଼ିଶାରେ ଯେଉଁ ସରକାର ସେ ଓଡ଼ିଶାକୁ କେବଳ ବିକାଶଠାରୁ ଦୂରେଇ ରଖିନି ବରଂ ଅଫିସରଙ୍କ ସହ ମିଶି ଭୟଙ୍କର ଦୁୁର୍ନୀତି କରୁଛି। ଓଡ଼ିଶାରେ ସବୁଠାରୁ ଅଧିକ ପ୍ରାକୃତି ସମ୍ପଦ ରହିଛି। ସବୁଥାଇ ବି ଓଡ଼ିଶା ସମୃଦ୍ଧିଠାରୁ ବହୁ ଦୂରରେ ରହିଛି। ଓଡ଼ିଶା ଲୋକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ମୁଁ ଆପଣଙ୍କୁ ବିଶ୍ବାସ ଦେଉଛି ଯେ ଓଡ଼ିଶାରେ ନବୀନ ବାବୁଙ୍କ ସରକାରଙ୍କୁ ହଟାଇ ବିଜେପିକୁ ଆଣନ୍ତୁ। ଆଉ ଓଡ଼ିଶାରୁ କେହି ବାହାର ରାଜ୍ୟକୁ ପ୍ରତିପୋଷଣ କରିବାକୁ ଯିବେ ନାହିଁଃ ବାହାରୁ ଉଦ୍ୟୋଗ କିପରି ଓଡ଼ିଶା ଆସିବ ତାର ବ୍ୟବସ୍ଥା ବିଜେପି କରିବ ବୋଲି ଶାହ କହିଛନ୍ତି।
ଶାହ ଆହୁରି କହିଛନ୍ତି, ଓଡ଼ିଶାରେ ସବୁଠାରୁ ଅଧିକ ଖଣିଜ ସଂପଦ ଅଛି। ଆଉ ସବୁଠାରୁ ଅଧିକ ଗରିବ ବି ଏଇଠି ଅଛନ୍ତି। ରାଜ୍ୟ ସରକାର ଓଡ଼ିଶାର ଖଣିଜ ସଂପଦକୁ ଲୁଟି ଚାଲିଛନ୍ତି। ଓଡ଼ିଶାରେ ଥରୁଟେ ବିଜେପି ସରକାର ବନାନ୍ତୁ ଦେଖିବେ ଖଣିଜ ସଂପଦର ସୁବିନିଯୋଗ ହେବ। ନବୀନଙ୍କ ଶାସନରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଞ୍ଜିନ ସରକାର ହୋଇଛି ସେଠି ବିକାଶର ମାତ୍ରା ଦ୍ବିଗୁଣିତ ହୋଇଛି। ବର୍ତ୍ତମାନ ସମୟ ଆସିଛି ଓଡ଼ିଶାକୁ ବିକାଶ, ସମୃଦ୍ଧଶାଳୀ କରିବାର। ନବୀନ ବାବୁଙ୍କୁ ୨୫ ବର୍ଷ ଦେଇଛନ୍ତି, ବିଜେପିକୁ ୫ ବର୍ଷ ଦିଅନ୍ତୁ। ଆପଣମାନଙ୍କୁ କଥା ଦେଉଛି ୫ ବର୍ଷରେ ଓଡ଼ିଶାକୁ ଦେଶରେ ୧ ନମ୍ବର ରାଜ୍ୟରେ ପରିଣତ କରିବୁ। ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ନିଅନ୍ତୁ ବୋଲି ଶାହ କହିଛନ୍ତି।
ଓଡ଼ିଶାରେ ବିଜେପି ସରକାର ଆସିଲେ ଟେକ୍ସଟାଇଲ ମିଲ୍ ନିର୍ମାଣ କରିବୁ ଯାହା କପା ଚାଷୀଙ୍କ ପାଇଁ ବରଦାନ ହେବ। ଓଡ଼ିଶାରେ ଥିବା ସରକାର କେନ୍ଦ୍ରର ସବୁ ଯୋଜନାକୁ ହାଇଜ୍ୟାକ କରୁଛି। ଓଡ଼ିଶାବାସୀ ସବୁ ଜାଣିଛନ୍ତି ସଠିକ୍ ସମୟରେ ଜବାବ ରଖିବେ ବୋଲି ଶାହ କହିଛନ୍ତି। ସେହିପରି ସେ ଆହୁରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଗୌରବମୟ ସ୍ଥାନକୁ ପର୍ଯ୍ୟଟନ ନାଁରେ ତାର ଗୌରବକୁ କମ କରିବାକୁ ଉଦ୍ୟମ କରାଯାଉଛି। ବିଜେପି ସରକାର ଆସିଲେ କାଶୀ ବିଶ୍ବନାଥଙ୍କ ପରି ପୁରୀକୁ ସମଗ୍ର ବିଶ୍ବରେ ଜଗନ୍ନାଥଙ୍କ ମହିମା ମଣ୍ଡନ କରିବ ବୋଲି ଶାହ କହିଛନ୍ତି।