ଓଡ଼ିଶା ରାଜନୀତି: ଲୁଙ୍ଗି ବନାମ ଧୋତି

ଓଏଲ୍ ବ୍ୟୁରୋ: ବର୍ତ୍ତମାନ ସାରା ଦେଶରେ ନିର୍ବାଚନ ମାହୋଲ। ପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ନିର୍ବାଚନୀ ଚର୍ଚ୍ଚା। ଚା’ଖଟିରୁ ଆରମ୍ଭ କରି ସପିଂ ମଲ୍ ପର୍ଯ୍ୟନ୍ତ ହେଉଛି ନିର୍ବାଚନୀ ଚର୍ଚ୍ଚା। ଟିଭି, ଖବରକାଗଜ, ସୋସିଆଲ ମିଡିଆରେ ସବୁଠି ନିର୍ବାଚନୀ ଖବର। ଏସବୁ ବାଦ ବର୍ତ୍ତମାନ ଓଡ଼ିଶାରେ ଲୁଙ୍ଗି, ଧୋତି ଚର୍ଚ୍ଚା ଚାଲିଛି। ଯଦି ଆମେ ଓଡ଼ିଶା ରାଜନୀତି କଥା କହିବା ବିଜେଡି, ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି। ହେଲେ ଏବେ ଲୁଙ୍ଗି ବନାମ ଧୋତି ପ୍ରସଙ୍ଗ ଗାଁରୁ ସହର ଚର୍ଚ୍ଚା ହେଉଛି ଯାହା ବିଭିନ୍ନ ରାଜୈତିକ ଦଳର ପ୍ରସଙ୍ଗ ଲଢ଼େଇକୁ ପଛରେ ପକାଇ ଦେଇଛି।
ନିର୍ବାଚନ ତାରିଖ ଯେତେ ପାଖଉଛି ଓଡ଼ିଶା ରାଜନୀତିରେ ଲୁଙ୍ଗି ବନାମ ଧୋତି ପ୍ରସଙ୍ଗର ଚର୍ଚ୍ଚା ଜୋର ଧରିଛି। ସୋମବାର ଦିନ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୁଙ୍ଗି ପିନ୍ଧି ଯୋଡ଼ି ଶଙ୍ଖର ପ୍ରଚାର ଆରମ୍ଭ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ ନିବେଦନ କରି ଭିଡିଓ ଜାରି କଲା ପରେ ସୋସିଆଲ ମିଡିଆରେ ଲୁଙ୍ଗି ଓ ଧୋତିକୁ ନେଇ ଚର୍ଚ୍ଚା,ଆଲୋଚନା ଓ ସମାଲୋଚନା ଲାଗି ରହିଛି।
ନବୀନଙ୍କ ଲୁଙ୍ଗି ପିନ୍ଧା ଭିଡିଓ ଭାଇରାଲ ହେବା ପରେ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡ଼ାର ଲଇକେରାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ନବୀନ ବାବୁଙ୍କୁ ଲୁଙ୍ଗି ପିନ୍ଧାଇବା ବଦଳରେ ପାଇଜାମା ପିନ୍ଧାଇ ଆଣିଥିଲେ ଭଲ ହୋଇଥାଆନ୍ତା।ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ମଙ୍ଗଳବାର ସଂଧ୍ୟାରେ ବିଜେଡିର ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଥିଲା। ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ବିଜେଡିର ମୁଖପାତ୍ର ଏବଂ ପାନେଲିଷ୍ଟ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସି ଏହାକୁ କାଉଣ୍ଟର କରିଥିଲେ। ତା’ସହ ଗଣମାଧ୍ୟମ ସାମ୍ନାରେ ଫଟୋ ପୋଜ୍ ଦେଇଥିଲେ। ଡ୍ରେସ୍ କୋଡ୍ ପଛରେ ବିଜେଡି ଯୁକ୍ତି ବାଢ଼ି ବୁଣାକାରଙ୍କୁ ସମର୍ଥନ ସହ ଓଡ଼ିଶାର ପରମ୍ପରା ଓ ସଂସ୍କୃତିର କଥା ବଖାଣିଥିଲା।
ଏସବୁ ସତ୍ତ୍ବେ ବର୍ତ୍ତମାନ ସୋସିଆଲ ମିଡିଆରେ ଲୁଙ୍ଗି, ଧୋତି ଚର୍ଚ୍ଚା ଥମିବାର ନା ଧରୁନି। ପ୍ରତିଦିନ ସୋସିଆଲ ମିଡିଆରେ ଲୁଙ୍ଗି, ଧୋତି ପିନ୍ଧା ପୋଷ୍ଟ ଦେଖିବାକୁ ମିଳିଛି। ତେବେ ଲୁଙ୍ଗି ବନାମ ଧୋତି ପ୍ରସଙ୍ଗ ଉଭୟ ବିଜେଡି ଓ ବିଜେପିକୁ ଆଗାମୀ ନିର୍ବାଚନରେ କେତେ ଫାଇଦା ଦେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ସୂଚନାଥାଉକି, ମେ’ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।