ଗୁଗୁଲ୍ ବିଜ୍ଞାପନରେ ୧୦୦ କୋଟି ଖର୍ଚ୍ଚ କଲା ବିଜେପି
ଓଏଲ୍ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଦେଶର ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଭାରତୀୟ ଜନତା ପାର୍ଟି ହ୍ୟାଟ୍ରିକ ବିଜୟ ସହିତ କେନ୍ଦ୍ରରେ ତୃତୀୟ ଥର କ୍ଷମତା ହାତେଇବାକୁ ଜୋରଦାର ପ୍ରଚାର କରୁଛି। କେବଳ ରାଜନୈିତକ ମୈଦାନ, ସଭାରେ ନୁହେଁ ଡିଜିଟାଲ ମିଡିଆରେ ବି ବିଜେପି ଗେରୁଆମୟ କରି ଦେଇଛି। ଗୁଗୁଲ୍କୁ ୧୦୦ କୋଟି ଟଙ୍କାର ବିଜ୍ଞପନ ଦେଇଛି ବିଜେପି।
ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ଭାରତ ଇତିହାସରେ ପ୍ରଥମ ରାଜନୀତିକ ଦଳ ଭାବେ ଶାସକ ଭାରତୀୟ ଜନତା ପାର୍ଟି ନିଜର ପ୍ରଚାର ପାଇଁ ସର୍ଚ୍ଚ ଇଞ୍ଜିନ ଗୁଗଲ ଓ ଏହାର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲାଣି। ଏପ୍ରିଲ ୨୫, ୨୦୨୪ ସୁଦ୍ଧା ବିଜେପି ଡିଜିଟାଲ ପ୍ରଚାର ପାଇଁ ଏଯାଏ ୧୦୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛି।
ବିଜେପି ଏକାକି ଯେତିକି ଟଙ୍କା ଖର୍ଚ୍ଚ କରିଛି ତାହା କଂଗ୍ରେସ, ଡିଏମ୍କେ ଓ ଇଣ୍ଡିଆନ ପଲଟିକାଲ ଆକ୍ସନ କମିଟିର ବିଜ୍ଞାପନ ସହିତ ସମାନ। ଗୁଗୁଲ୍ ୨୦୧୮ ମସିହାରୁ ଗୁଗୁଲ ବିଜ୍ଞାପନଗୁଡ଼ିକର ରିପୋର୍ଟ ପ୍ରକାଶ ଆରମ୍ଭ କରିଥିଲା। ସେବେଠୁ ବିଜେପି ଏହି ପରିମାଣର ଟଙ୍କା ଖର୍ଚ୍ଚ କରିଛି। ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀବାସୀଙ୍କ ଉଦ୍ଦେଶ୍ୟରେ ଅଧିକାଂଶ ବିଜ୍ଞାପନ ପ୍ରକାଶ କରିଛି। ଗତ ୬ ବର୍ଷ ମଧ୍ୟରେ ମୋଟ ୨,୧୭,୯୯୨ ବିଜ୍ଞାପନ ଗୁଗଲ ପ୍ରକାଶ କରିଥିବା ବେଳେ ଏହା ମଧ୍ୟରେ ବିଜେପିର ସଂଖ୍ୟା ୭୩% ଅର୍ଥାତ ୧,୬୧,୦୦୦ ରହିଛି। ଯାହା ସର୍ବାଧିକ।
ବିଜେପି ୧୦୦ କୋଟିରୁ ଅଧିକ ଟଙ୍କା ଗୁଗୁଲ୍ ବିଜ୍ଞାପନରେ ଖର୍ଚ୍ଚ କରିଥିବା ବେଳେ ଦ୍ବିତୀୟ କଂଗ୍ରେସ ରହିଛି। ପ୍ରଚାର ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛି କଂଗ୍ରେସ। ସେହିପରି ତୃତୀୟ ସ୍ଥାନରେ ତାମିଲନାଡୁର ଡିଏମ୍କେ ରହିଛି। ଦଳର ପ୍ରଚାର ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଭିନ୍ନ ରାଜନୀତିକ ଦଳ ତାମିଲନାଡୁ ପାଇଁ ଗୁଗଲରେ ସର୍ବାଧିକ ରାଜନୀତିକ ବିଜ୍ଞାପନ ପ୍ରକାଶ କରୁଥିବା ବେଳେ ଦ୍ୱିତୀୟରେ ତେଲଙ୍ଗାନା, ତୃତୀୟରେ ଉତ୍ତର ପ୍ରଦେଶ, ୪ର୍ଥରେ କର୍ଣ୍ଣାଟକା ଓ ୫ମରେ ମଧ୍ୟପ୍ରଦେଶ ରହିଛି।
୨୦୧୮ ମେ’ ୩୧ରୁ ୨୦୨୪ ଏପ୍ରିଲ ୨୫ ମଧ୍ୟରେ ରାଜନୀତିକ ବିଜ୍ଞାପନ ପାଇଁ ଗୁଗଲରେ ମୋଟ ୩୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ମଧ୍ୟରୁ ବିଜେପିର ଭାଗ ୨୬%। କର୍ଣ୍ଣାଟକ ପାଇଁ ୧୦.୮ କୋଟି, ଉତ୍ତର ପ୍ରଦେଶ ପାଇଁ ୧୦.୩ କୋଟି, ରାଜସ୍ଥାନ ପାଇଁ ୮.୫ କୋଟି ଓ ଦିଲ୍ଲୀ ପାଇଁ ଦଳ ୭.୬ କୋଟି ଟଙ୍କା ରାଜନୀତିକ ବିଜ୍ଞାପନରେ ଖର୍ଚ୍ଚ କରିଛି।