ଓଡ଼ିଶାରେ ଆହୁରି ୪ ଦିନ ହିଟ୍ ଓ୍ବେଭ୍, ୩୦ ଯାଏଁ ଉତ୍ତର ଓଡ଼ିଶାକୁ ରେଡ୍ ଓ୍ବାର୍ଣ୍ଣିଂ
ଓଏଲ୍ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ଟା ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲାଣି ପାରଦ। ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ପାଣିପାଗ ବିଭାଗ ଅନୁସାରେ, ଏବେ ତାତିରୁ ମିଳିବନି ଆଶ୍ୱସ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତି କରିବ କଲବଲ।
ଭୁବନେଶ୍ବର ଆଞ୍ଚଳିତ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି, ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ ଭାବେ ଉତ୍ତର ଓଡ଼ିଶାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଆହୁରି ୪ ଦିନ ହିଟ୍ ଓ୍ବେଭ୍ ସ୍ଥିତି ଲାଗି ରହିବ ବୋଲି ସେ ସୂଚନା ଦେଇଛନ୍ତି।
ଆଜି ପାଇଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଉ ୧୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଆହୁରି ଅଧିକ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। କାଲି ପାଇଁ ୧୮ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି।