ଆସନ୍ତାକାଲି ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ; ମେ ୧ରୁ ମାରାଥନ ପ୍ରଚାର ଆରମ୍ଭ

ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଗତ ସୋମବାର ଦିନ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ିିଶଙ୍ଖର ପ୍ରଚାର ଆରମ୍ଭ କରିଥିଲେ। ତେବେ ଆଗାମୀ ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ। ସେହିଦିନ ସେ ପ୍ରଥମେ ତାରା ତାରିଣୀ ମନ୍ଦିର ଯିବେ। ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ପରେ ନାମାଙ୍କନପତ୍ର ଦାଖଲ କରି ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବାର ଯୋଜନା ରହିଛି।
ମେ ୧ରେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ, କବିସୂର୍ୟ୍ୟନଗର, ଦିଗପହଣ୍ଡି ଏବଂ ଛତ୍ରପୁରରେ ପ୍ରଚାର କରିବେ। ଭଞ୍ଜନଗର, ପୋଲସରା, ସାନଖେମୁଣ୍ଡି ଏବଂ ସୋରଡ଼ାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ ଏବଂ ମେ ୩ ରେ ରାଲି ଅନୁଷ୍ଠିତ ହେବ। ସେହିପରି ଗୋପାଳପୁର ଏବଂ ଆସ୍କାରେ ନବୀନଙ୍କର ଦୁଇଟି ସାଧାରଣ ସଭା ରହିଛି। ତେବେ ଗତ ଥର ଭଳି ଏଥର ମଧ୍ୟ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ। ହିଞ୍ଜିଳି ବିଧାନସଭା ସହ କଣ୍ଟାବାଞ୍ଜି ଆସନ ପାଇଁ ମଧ୍ୟ ନିର୍ବଚନ ଲଢ଼ିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।