ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି; ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନର ମହାପର୍ବ। ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ସେହିଭଳି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ଆସନରେ ଆସନ୍ତା ମେ’ ୨୫ ତାରିଖରେ ନିର୍ବାଚନ ହେବ। ଏହା ସହ ଅନ୍ୟ ସମସ୍ତ ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ।
ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠୁ ନାମାଙ୍କନ ଦାଖଲ ହୋଇପାରିବ। ମେ’ ୭ ତାରିଖରେ ନାମାଙ୍କନ ପତ୍ର ଯାଂଚ ହେବ। ମେ’ ୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ମେ ୨୫ରେ ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ। ସମ୍ବଲପୁର କୁଚିଣ୍ଡା ଓ ରେଢାଖାଲରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଦେବଗଡ଼ରେ ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ଏହି ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୯୪ଲକ୍ଷ ୪୧ହଜାର ୭୯୭ଜଣ ଭୋଟର ଥିବାବେଳେ ଏଥିରେ ୪୮,୨୬,୩୭୫ଜଣ ପୁରୁଷ ଏବଂ ୪୬,୧୪,୧୩୪ଜଣ ମହିଳା, ୧୨୮୮ଜଣ କିନ୍ନର ଭୋଟର ଅଛନ୍ତି।