କରୋନା ଟୀକାକୁ ନେଇ ବଡ଼ ଖବର; କୋଭିସିଲ୍ଡରେ ରହିଛି ପାର୍ଶ୍ୱପ୍ରତିକ୍ରିୟା!

ଓଏଲ୍ ବ୍ୟୁରୋ: କରୋନା ମହାମାରିରୁ ସୁରକ୍ଷା ପ୍ରଦାନ କରୁଥିବା ଟୀକାକୁ ନେଇ ବଡ଼ ଖବର ଆସିଛି। ଯାହା ଅତି ଚିନ୍ତାଜନକ ବିଷୟ ପାଲଟିଛି। କୋଭିସିଲ୍ଡ ଟିକାରୁ ଦେଖାଦେଇପାରେ ବିରଳ ପାଶ୍ୱର୍ପ୍ରତିକ୍ରିୟା। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ନେଇ କୋର୍ଟରେ ଏକ ମାମଲା ଚାଲିଥିଲା। ଶେଷରେ ୪ ବର୍ଷ ଲଢେଇ ପରେ କୋର୍ଟରେ ସତ ମାନିଛି ଆଷ୍ଟ୍ରାଜେନିକା କମ୍ପାନୀ।
ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ସମ୍ପୂର୍ଣ୍ଣ ନିରାପଦ ନୁହେଁ କରୋନା ଟିକା କୋଭିସିଲ୍ଡ। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲାଟେଲେଟ କାଉଣ୍ଟ କମିଯାଇପାରେ। ୟୁକେ କୋର୍ଟଙ୍କୁ ଟିକା ନିର୍ମାଣକାରୀ କଂପାନୀ ଆଷ୍ଟ୍ରାଜେନେକା ଜଣାଇଥିବା ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା।
ଏହି ଟିକା ବହୁ ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଛି। ବ୍ରିଟେନର ଏକ କୋର୍ଟରେ ସତ୍ୟପାଠ ଦାଖଲ କରି ଏହା ସ୍ୱୀକାର କରିଛି ନିର୍ମାଣକାରୀ କମ୍ପାନୀ। ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କଂପାନି ଟିକା ଉତ୍ପାଦନ କରିଥିଲା। ଟିକା ନେବା ପରେ ଅନେକ ଲୋକଙ୍କ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ କମ୍ପାନୀର ଏପରି ସ୍ୱୀକାରୋକ୍ତି ପରେ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି।