ପୁଣି ଚର୍ଚ୍ଚାରେ ବାରବାଟୀ-କଟକ ଆସନ; ନିର୍ବାଚନୀ ମୈଦାନରେ ୩ ନୂଆ ଚେହେରା

ଓଏଲ୍ ବ୍ୟୁରୋ: ସରଗରମ ଓଡ଼ିଶା ରାଜନୀତି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଜାରି ରଖିଥିବା ବେଳେ ଶାସକ ବିଜୁ ଜନତା ଦଳ ପ୍ରଥମ ଦଳ ଭାବେ ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମୋଟ ୯ଟି ପର୍ଯ୍ୟାୟରେ ୧୪୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ୧୪୬ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। କେବଳ ନୀଳଗିରି ଆସନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥିବା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ ଏଥର ପୁଣି ଥରେ ସେହିଭଳି ଏକ ଲଢେଇ ଆଡକୁ ମୁହାଁଉଛି।
ବାରବାଟୀ-କଟକ ଆସନରେ ୩ ନୂଆ ଚେହେରା ଦେଖିବାକୁ ମିଳିଛି। ଗୋଟିଏ ପଟେ ବିଧାୟକ ମହମ୍ମଦ ମୋକିମଙ୍କ ବଦଳରେ ତାଙ୍କ ଝିଅ ସୋଫିଆ ଫିରଦୋସ୍ କଂଗ୍ରେସର ପ୍ରାର୍ଥୀ ହେବା, ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ସାଲେପୁରରୁ ଆସି ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେଡିର ପ୍ରାର୍ଥୀ ହେବା ଏବଂ ଶେଷରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଜେପି ପ୍ରାର୍ଥୀ ହେବା ଘଟଣା ଏକ ଜୋରଦାର ଲଢେଇର ଆଭାସ ଦେଉଛି। ଉଭୟ ସୋଫିଆ ଓ ଡାକ୍ତର ମହାପାତ୍ର ରାଜନୀତିରେ ସଂପୂର୍ଣ୍ଣ ନୂଆ। ସୋଫିଆଙ୍କ ପାଇଁ ପରୋକ୍ଷରେ ବିଧାୟକ ମହମ୍ମଦ ମୋକିମ ନିର୍ବାଚନ ଲଢେଇ ଲଢୁଛନ୍ତି ସତ, କିନ୍ତୁ ବାରବାଟୀ-କଟକ ଭୋଟର ଏଥର ସଂପୂର୍ଣ୍ଣ ଭାବେ ୩ ନୂଆ ମୁହଁ ଭିତରୁ ଜଣକୁ ବାଛିବେ।
ନିର୍ବାଚନ ଆରମ୍ଭରୁ ମହମ୍ମଦ ମୋକିମ ସକ୍ରିୟ ରହିବା ସହିତ ଲଗାତାର ଭାବେ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସୋଫିଆ ବି ନୂଆ ଯୁବ ଚେହେରା ଭାବେ ପ୍ରଚାର ଅଭିଯାନକୁ ଅଧିକ ବଳ ଦେଇଛନ୍ତି। ବିଜେଡି ନିଜର ସଙ୍ଗଠନ ବଳରେ ପ୍ରକାଶଙ୍କୁ ନେଇ ପ୍ରଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛି। କିନ୍ତୁ ବିଜେପି କେବଳ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ କେତେକ କାର୍ଯ୍ୟକ୍ରମକୁ ବାଦ ଦେଲେ ବିଧିବଦ୍ଧ ଭାବେ ଏଯାଏ ଅଭିଯାନ ଆରମ୍ଭ କରି ପାରିନି। ପୂର୍ଣ୍ଣ ମହାପାତ୍ର ନିଜର ପତିଆରା ଆଉ ପରିଚୟ ବଳରେ ତାହାକୁ କେତେ ଗତି ଦେଇ ପାରିବେ, ତାହା ହୁଏତ ଆଗକୁ ସ୍ପଷ୍ଟ ହେବ।
ନିର୍ବାଚନ ସମୟରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବା ସହିତ ବାରବାଟୀ-କଟକରୁ ପ୍ରାର୍ଥୀ ହୋଇଛନ୍ତି ପ୍ରକାଶ ବେହେରା। ତେଣୁ ସେ ଉଭୟ ଦଳ ଆଉ ଭୋଟରଙ୍କ ପାଇଁ ବାରବାଟୀ-କଟକରେ ନୂଆ। ଏହି ୩ ନୂଆ ଚେହେରାଙ୍କ ପାଇଁ ସେମାନଙ୍କ ନିଜନିଜ ଦଳର ହାରାହାରି ଭୋଟ ପୁଞ୍ଜି ହୋଇ ରହିଛି। ୨୦୦୯, ୨୦୧୪, ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ କଂଗ୍ରେସ ଲଗାତାର ଭାବେ ନିଜର ଭୋଟ ବୃଦ୍ଧି କରିଚାଲିଛି। ୨୦୧୪ ଓ ୨୦୧୯ରେ ବିଧାୟକ ମହମ୍ମଦ ମୋକିମ ବାଜି ମାରିଥିଲେ। ତେବେ ଏଥର ବାରବାଟୀ-କଟକ ବାସିନ୍ଦା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।