ଚର୍ଚ୍ଚାରେ ସୋଫିଆ ଫିରଦୋସ, ବିନା ରାଲିରେ ଭରିଲେ ନାମାଙ୍କନ
ଓଏଲ୍ ବ୍ୟୁରୋ: ଆଜି ବାରବାଟି-କଟକ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ। ଆଜି ସେ କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୁଠୁ ବଡ଼କଥା ହେଲା ବିଭିନ୍ନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ଦିନ ଶକ୍ତି ପ୍ରଦର୍ଶନ କରିଥାନ୍ତି ନିଜ ସମର୍ଥକଙ୍କୁ ନେଇ। ସେଥିପାଇଁ ପାଟ ପଟୁଆରରେ ନାମାଙ୍କନ ଭରିବାକୁ ଯାଉଛନ୍ତି ନେତା। ହେଲେ ସୋଫିଆ ବିନା ପାଟ ପଟୁଆରରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ନାମାଙ୍କନ ଦାଖଲ ପରେ ସୋଫିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଖୁବ୍ ଭାଗ୍ୟବାନ, ଆଗରୁ ମୁଁ ମୋ ବାପାଙ୍କ ପାଇଁ ପ୍ରଚାର କରୁଥିଲି।ଏବେ ବାପା ମୋ ପାଇଁ ପ୍ରଚାର କରିବେ। ଆମେ ଦୁଇ ଜଣ ସବୁବେଳେ ଏକାଠି ଅଛୁ। କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ଗତ ୭ରୁ ୮ଦିନ ଭିତରେ କଟକବାସୀଙ୍କଠାରୁ ଖୁବ୍ ସ୍ନେହ ଶ୍ରଦ୍ଧା ପାଇଛି। କଟକବାସୀ ମୋତେ ଏମିତି ସ୍ନେହ ଶ୍ରଦ୍ଧା ଦେଇ ଚାଲିଥାନ୍ତୁ।
ସେ ଆହୁରି କହିଛନ୍ତି, ପ୍ରବଳ ଖରା ହେଉଛି। ସେଥିପାଇଁ ଲୋକଙ୍କୁ ଏକାଠି କରି ରାଲି କରିବା ଉଚିତ ନୁହେଁ। ଲୋକଙ୍କୁ ରାଲି ପାଇଁ ଡାକି ହଇରାଣ କରିବାକୁ ଆମେ ଚାହୁଁନୁ। ସେଥିପାଇଁ ବାପାଙ୍କ ସହ ଆସି ନାମାଙ୍କନ ଦାଖଲ କରିଛି।