Odisha Link
Bridging the Missing Links in Odisha

ବଦଳିଲା ଆମେଠି ସମୀକରଣ, ୨୫ ବର୍ଷ ପରେ କଂଗ୍ରେସର ଗଡ଼ରେ ନାହାନ୍ତି ଗାନ୍ଧୀ ପରିବାର

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଗଡ଼ ଭାବେ ପରିଚିତ ଆମେଠିରୁ କିଏ ହେବ ପ୍ରାର୍ଥୀ ? ବିଗତ କିଛିଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କେଏଲ ଶର୍ମାଙ୍କୁ ଆମେଠି ଲୋକସଭା ଆସନ ପାଇଁ ଟିକେଟ ଦେଇଛି କଂଗ୍ରେସ। କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କୁ ରାଏବରେଲୀ ଆସନରୁ ଟିକେଟ ଦେଇଛି ଦଳ। ଏଥିସହିତ କଂଗ୍ରେସର ୨୫ ବର୍ଷ ରାଜନୈତିକ ସମୀକରଣରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଗାନ୍ଧୀ ପରିବାରର ଖୁବ ଘନିଷ୍ଠ କେଏଲ ଶର୍ମାଙ୍କୁ ଆମେଠି ଆସନରୁ ଟିକେଟ ମିଳିଛି। ୧୯୯୮ ମସିହା ପରେ ପ୍ରଥମ ଥର ପାଇଁ ଆମେଠି ଲୋକସଭା ଆସନରୁ ଗାନ୍ଧୀ ପରିବାରରୁ କେହି ପ୍ରାର୍ଥୀ ହୋଇ ନାହାନ୍ତି। ଯାହା ୨୫ ବର୍ଷର ସମୀକରଣରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୧୯୯୮ ମସିହାରେ ଶେଷଥର ପାଇଁ ସତିଶ ଶର୍ମା ଆମେଠିରୁ ନିର୍ବାଚନ ଲଢ଼ିଥିଲେ। ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ଆମେଠି ଆସନକୁ ନେହେରୁ-ଗାନ୍ଧୀ ପରିବାରର ଗଡ଼ ବୋଲି କୁହାଯାଏ।

୧୯୯୯ ମସିହାରେ ସୋନିଆ ଗାନ୍ଧୀ କଂଗ୍ରେସରୁ ଆମେଠି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ସଞ୍ଜୟ ସିଂହଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରି ସାଂସଦ ହୋଇଥିଲେ। ଏହାପରେ ପୁଅ ରାହୁଲ ଗାନ୍ଧୀଙ୍କୁ ଛାଡିଥିଲେ ମୈଦାନ। ୨୦୦୪ ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧୀ ପ୍ରଥମ ଥର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେ ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ମଧ୍ୟ ରାହୁଲ ଗାନ୍ଧୀ ଆମେଠି ଆସନରୁ ବିଜୟୀ ହୋଇଥିଲେ। ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ଜିତିଥିଲେ।

୨୦୧୯ ନିର୍ବାଚନରେ କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କୁ ଲାଗିଥିଲା ବଡ଼ ଝଟକା। କାରଣ ୨୦୧୯ ନିର୍ବାଚନରେ ଆମେଠି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୧ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏହା ପରେ ଆମେଠିରେ ବଦଳି ଯାଇଥିଲା କଂଗ୍ରେସର ଭାଗ୍ୟ। ୨୦୨୪ ନିର୍ବାଚନକୁ ନଜରରେ ରଖି ନିଜର ସମୀକରଣ ବଦଳାଇ ଦେଇଛି କଂଗ୍ରେସ। ପ୍ରଥମ କରି ୨୫ ବର୍ଷ ମଧ୍ୟରେ ଦଳ ଗାନ୍ଧୀ ପରିବାରର କୌଣସି ଚେହେରାଙ୍କୁ ଆମେଠି ଆସନରୁ ପ୍ରାର୍ଥୀ କରିନାହିଁ।

Leave A Reply

Your email address will not be published.