ସୁଜାତା କାର୍ତ୍ତିକେୟନଙ୍କୁ ବଡ଼ ଦାୟିତ୍ବ, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ଓଏଲ୍ ବ୍ୟୁରୋ: ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବଡ଼ ଦାୟିତ୍ବ। ମିଶନ ଶକ୍ତି ସଚିବ ପଦରୁ ତାଙ୍କୁ ବଦଳି କରି ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ବରିଷ୍ଠ ଆଇଏଏସ ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ଦାୟିତ୍ୱ ମିଳିଛି।
ବର୍ତ୍ତମାନ ସାରା ଦେଶରେ ନିର୍ବାଚନ ଋତୁ। ଓଡ଼ିଶା ରାଜନୀତି ସରଗରମ ଥିବାବେଳେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହୋଇଥିଲେ। ଏହାପରେ ମିଶନ ଶକ୍ତି ସଚିବରୁ ସୁଜାତାଙ୍କୁ ବଦଳି କରିଥିଲେ ନିର୍ବାଚନ ଆୟୋଗ। ଏବେ ତାଙ୍କୁ ଅର୍ଥ ଭଳି ପ୍ରମୁଖ ବିଭାଗରେ ନିଯୁକ୍ତି ମିଳିଛି।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୦ ବ୍ୟାଚ୍ ଆଇଏଏସ୍ ତଥା ମିଶନ ଶକ୍ତି ବିଭାଗର ସଚିବ ତଥା କମିଶନର ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ବରୁ ରାଜ୍ୟ ସରକାର ଆଜି ଅବ୍ୟାହତି ଦେଇଛନ୍ତି। ତାଙ୍କ ସ୍ଥାନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ଶ୍ରୀମତୀ ପଣ୍ଡିତ ମଧ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ ।