ବିଜେପି ଛାଡ଼ି ବିଜେଡିରେ ମିଶିଲେ ଜିନା ସାମଲ

ଓଏଲ୍ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା।
ମେ ୨୦ତାରିଖରେ ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ହେବ। ଏଥିପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଆସନ୍ତା ୬ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ୨୦୧୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ୧୪୭ ଆସନରେ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ଓ କଂଗ୍ରେସ ୧୪୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି।
କେବଳ ନୀଳଗିରି ଆସନ ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଏସବୁ ଭିତରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପିରୁ ଇସ୍ତଫା ଦେଲେ ଅଭିନେତ୍ରୀ ଜିନା ସାମଲ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ଗ୍ରହଣ ପାଇଁ ନିବେଦନ କରିଛନ୍ତି। ପରିଶ୍ରମର ମୂଲ୍ୟ ମିଳିଲାନି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏହା ପରେ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଖବର ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଗତ ୨୦୨୩ ମାର୍ଚ୍ଚ ୧୧ରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ ଓଲିଉଡ ଅଭିନେତ୍ରୀ ଜିନା। ଅଭିନେତ୍ରୀ ଜିନାଙ୍କ ସହ ତାଙ୍କ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ବିଜେପିରେ ଯୋଗଦାନ କରିଥିଲେ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ସାମିଲ୍ ହୋଇଥିଲେ ଦମ୍ପତି।