ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ, କଂଗ୍ରେସରେ ସାମିଲ

ଓଏଲ୍ ବ୍ୟୁରୋ: ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ଦେବାଶିଷ ନାୟକ। ବିଜେପି ଟିକେଟ୍ ଆଶାୟୀ ଥିବା ଦେବାଶିଷ ନାୟକ ଟିକେଟ୍ ନପାଇବାରୁ ବିଜେପି ଛାଡ଼ି କଂଗ୍ରେସର ହାତ ଧରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି।
କଂଗ୍ରେସରେ ମିଶିବା ପରେ ଦେବାଶିଷ ନାୟକ କହିଛନ୍ତି, ଟିକେ ନିଷ୍ପତ୍ତି ଭୁଲ ହୋଇଯାଇଥିଲା। ଭୁଲରେ ସେପଟକୁ ଚାଲି ଯାଇଥିଲି। ମୋ ସମର୍ଥକଙ୍କ ସହିତ ବୈଠକ କରିବା ପରେ ନିଷ୍ପତ୍ତି ନେଲି ଏକ ଗଣତାନ୍ତ୍ରିକ ଦଳରେଯୋଗ ଦେବି, ଯେଉଁଠି ସ୍ୱାଧୀନତା ଥିବ। ତେଣୁ କଂଗ୍ରେସରେ ଯୋଗ ଦେଲି ବୋଲି କହିଛନ୍ତି।
ଦେବାଶିଷ ନାୟକ ବରୀରୁ ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦, ୨୦୦୪,୨୦୦୯ ଓ ୨୦୧୪ରେ ସେ ବରୀରୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା। ଏଥର ମଧ୍ୟ ତାଙ୍କୁ ଦଳ ଟିକେଟ ଦେବାର କୌଣସି ସମ୍ଭାବନା ନଥିବା ଦେଖି ସେ ବିଜେପିରେ ମିଶିଥିଲେ। ଫେବ୍ରୁଆରୀ ୨୫ରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ। ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି।