ଆଜି ପ୍ରଚାରରେ କମ୍ପିବ ଗଞ୍ଜାମ ଓ କନ୍ଧମାଳ; ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଓଏଲ୍ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ଆଜି ଗଞ୍ଜାମ ଓ କନ୍ଧମାଳରେ ହେବ ନବୀନ ସୋ’। ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଲାଗି ମୁଖ୍ଯମନ୍ତ୍ରୀ କରିବେ ପ୍ରଚାର।
ପୂର୍ବାହ୍ନରେ ମୁଖ୍ଯମନ୍ତ୍ରୀ ବ୍ରହ୍ମପୁର ନିକଟସ୍ଥ କନିଷିରେ ପ୍ରଚାର କରିବେ। ପରେ ସେ ଆସ୍କାରେ ପ୍ରଚାର କରିବେ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଫୁଲବାଣୀରେ ପ୍ରଚାର ଅଭିଯାନରେ ସାମିଲ ହେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ମେ ୧୩ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଓ ଏହି ଆସନ ଅନ୍ତର୍ଗତ ବିଧାନସଭାଗୁଡିକରେ ବି ନିର୍ବାଚନ ହେବ। ସେହିପରି ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ଲୋକସଭା କ୍ଷେତ୍ର ଓ ସଂଲଗ୍ନ ବିଧାନସଭା କ୍ଷେତ୍ରରେ ହେବ। ନିର୍ବାଚନକୁ ନଜରରେ ଜୋରଦାର ପ୍ରଚାର ଚାଲିଛି।